ପୁରୁଣା ଫଟୋ କପି ଦେଲା ଏଏସ୍‌ଆଇ

ପୁରୀ ଅଫିସ, ୧୧।୭: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଉଭାନ ହେବା ଘଟଣାର ଖୋଳତାଡ଼ ଚାଲିଛି। ଶୁକ୍ରବାର ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଗର୍ଭଗୃହ ଏବଂ ରତ୍ନସିଂହାସନର ଅନେକ ପୁରୁଣା ଫଟୋ କପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛି। ପଥର ଉଭାନ ଅଭିଯୋଗ ଆସିବା ପରେ ଏହାକୁ ଗୁରୁତ୍ୱର ସହ ନେଇଛି ମନ୍ଦିର ପ୍ରଶାସନ। ଏହାର ସତ୍ୟାସତ୍ୟ ପାଇଁ ଏଏସ୍‌ଆଇଠାରୁ ରତ୍ନସିଂହାସନର ପୁରୁଣା ଫଟୋ ମଗାଯାଇଥିଲା।
ରତ୍ନସିଂହାସନରୁ ଖୋଦିତ ପଥର ଉଭାନ ଅଭିଯୋଗ ହେବା ପରେ ଗତ ବୁଧବାର ପରିଚାଳନା କମିଟିର ୩ ସେବାୟତ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଏଏସ୍‌ଆଇ ଅଧିକାରୀ ଏହାର ଯାଞ୍ଚ କରିଥିଲେ। ୩ଜଣ ସେବାୟତ ଗର୍ଭଗୃହ ଭିତରକୁ ଯାଇ ରତ୍ନସିଂହାସନର ସେହି ସ୍ଥାନ ଅନୁଧ୍ୟାନ କରିଥିଲେ। ତେବେ ସମ୍ପୃକ୍ତ ସ୍ଥାନ ଏଥର ମରାମତି ହୋଇଛି ନା ନାହିଁ ତାହାର ଅନୁଧ୍ୟାନ ପାଇଁ ଏଏସ୍‌ଆଇଠାରୁ ରତ୍ନସିଂହାସନର ପୁରୁଣା ଫଟୋ ମଗାଯାଇଥିଲା। ଏହି ଅନୁଯାୟୀ ଏଏସ୍‌ଆଇ ୨୦୧୪-୧୫ ମସିହା ପରଠାରୁ ୨୦୨୦ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଗର୍ଭଗୃହ ଏବଂ ରତ୍ନସିଂହାସନର ସମସ୍ତ ଫଟୋ ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ହସ୍ତାନ୍ତର କରିଛି। ମାତ୍ର ରତ୍ନସିଂହାସନର ପ୍ରାୟ ସବୁ ଫଟୋରେ ଚାରମାଳ ବନ୍ଧାଯାଇଥିବା ସୂଚନା ମିଳିଛି। ପୁରୁଣା ଫଟୋ ଏବଂ ବର୍ତ୍ତମାନର ସ୍ଥିତାବସ୍ଥା କ’ଣ ରହିଛି ତାହାର ଅନୁଧ୍ୟାନ କରାଯିବ ବୋଲି ଜଣାପଡ଼ିିଛି। ଯଦି କେହି ପଥର ନେଇଯାଇଥିବା ପ୍ରମାଣ ମିଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଥାଉ କି, ସେବାୟତ ଈପ୍‌ସିତ ପ୍ରତିହାରୀ ଗତ ମଙ୍ଗଳବାର ଗଣମାଧ୍ୟମ ସମ୍ମୁଖରେ ରତ୍ନସିଂହାସନରୁ ପଦ୍ମଫୁଲ ଖୋଦିତ ଖଣ୍ଡିଏ ପଥର ଉଭାନ ହୋଇଥିବା କହିଥିଲେ। ଏହି ପଥରରେ ଦେଢଟି ପଦ୍ମ ପାଖୁଡ଼ା ଖୋଦିତ ହୋଇଥିଲା, ଯାହା ଏବେ ପ୍ଲେନ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀସୁଦର୍ଶନଙ୍କ ସମ୍ମୁଖ ଭାଗରେ ରହିଥିବା ଏହି ଖୋଦିତ ପଥର ଉଭାନ ହୋଇଥିବା ସେ ଅଭିଯୋଗ ରଖିଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଥିଲା।