ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଆଶିଷ

ବାଲୁଗାଁ, ୧୦।୩(ଡି.ଏନ୍‌.ଏ.): ବୟସ ମାତ୍ର ୫ବର୍ଷ। ହେଲେ ଏହି ବୟସରେ ପ୍ରଖର ସ୍ମରଣଶକ୍ତିର ଅଧିକାରୀ ହୋଇପାରିଛନ୍ତି ଖୋର୍ଦ୍ଧା ଜିଲାର ବିସ୍ମୟ ବାଳକ ଆଶିଷ କୁମାର ରଣସିଂହ। ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ସମୟରେ ଜଣେ ଏହି ଶିଶୁ ସମଗ୍ର ରାଜ୍ୟ, ଦେଶ ଓ ବିଶ୍ୱର ଐତିହ୍ୟ, ଇତିହାସ ଏବଂ ଅନେକ ଗାଥା ମାତ୍ର ଅଳ୍ପ କେଇ ସେକେଣ୍ଡରେ ପ୍ରକାଶ କରି ଆଜି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାରେ ସଫଳତା ଅର୍ଜନ କରିଛନ୍ତି ।

ସୂଚନା ଅନୁଯାୟୀ, ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର ପ୍ରସନ୍ନ କୁମାର ରଣସିଂହ ଓ ଗୀତାଞ୍ଜଳିଙ୍କ ପୁତ୍ର ଆଶିଷ। ମା’ ଗୃହିଣୀ ହୋଇଥିବାବେଳେ ବାପା ଜଣେ ସରକାରୀ କର୍ମଚାରୀ। ତିନି ବର୍ଷ ବୟସରେ ପାଠପଢ଼ା ପ୍ରତି ଆଗ୍ରହ ବଢ଼ିବାରୁ ଆଶିଷକୁ ବାଲୁଗାଁସ୍ଥିତ ଡିଏଭି ଗୁରୁକୁଳରେ ନାମ ଲେଖାଇଥିଲେ। ଆଶିଷଙ୍କ ପ୍ରତିଭା ସମ୍ପର୍କରେ ମା’ ଏକ ଭିଡିଓ ୟୁଟୁବ୍‌ରେ ଅପ୍‌ଲୋଡ୍‌ କରିବା ପରେ ଏହା ଭାଇରାଲ ହୋଇଥିଲା। ପରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପକ୍ଷରୁ ଆଶିଷଙ୍କ ପରୀକ୍ଷା କରାଯାଇଥିଲା। ଉତ୍ତୀର୍ଣ୍ଣ ହେବାପରେ ତାଙ୍କୁ ଏହି ରେକର୍ଡସ୍‌ରେ ସ୍ଥାନିତ କରାଯାଇଛି।