ପ୍ରଥମ ପ୍ରୟାସରେ ‘ନିଟ୍‌’ କ୍ରାକ୍ କଲେ ଆଶିଷ: ଗଣ୍ଡାବାହାଲ ଗ୍ରାମ ପାଇଁ ଆଣିଲେ ଗୌରବ

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଗଣ୍ଡାବାହାଲ ଗ୍ରାମର ମେଧାବୀ ଛାତ୍ର ଆଶିଷ କୁମାର ମିଶ୍ର ପ୍ରଥମ ପ୍ରୟାସରେ ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍ (ୟୁଜି)’ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ସମୁଦାୟ ୭୨୦ ନମ୍ବରରୁ ୬୨୬ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୪୦୮୦ ରାଙ୍କ ଅଧିକାର କରିବା ସହ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଆଶିଷଙ୍କ ମାତା ବାସନ୍ତୀ ଆଚାର୍ଯ୍ୟ ଜଣେ ଶିକ୍ଷୟିତ୍ରୀ ଓ ପିତା ବିରେନ କୁମାର ମିଶ୍ର ଜଣେ ଶିକ୍ଷକ ଅଟନ୍ତି। ଛୋଟବେଳୁ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ଏବଂ ନିଷ୍ଠା ହିଁ ଏହି ସଫଳତାର ମୂଳ ଆଧାର ବୋଲି ପରିବାର ଲୋକେ କହିଛନ୍ତି।

ସୂଚନାଯୋଗ୍ୟ, ଆଶିଷ ଉଲୁଣ୍ଡା ଶିଶୁ ମନ୍ଦିରରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ଉଲୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ମାଟ୍ରିକ ପର୍ଯ୍ୟନ୍ତ ପଢ଼ିଥିଲେ। ମାଟ୍ରିକ ପରୀକ୍ଷାରେ ସେ ୯୭.୨ ପ୍ରତିଶତ ନମ୍ବର ହାସଲ କରିଥିଲେ। ପରେ ବରଗଡ଼ର ଏକ ଘରୋଇ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ୯୮.୨ ପ୍ରତିଶତ ନମ୍ବର ରଖି ସେ କୃତକାର୍ଯ୍ୟ ହୋଇଥିଲେ।

ନିଜ ସଫଳତା ସମ୍ପର୍କରେ ପ୍ରତିକ୍ରିୟା ରଖି ଆଶିଷ କହିଛନ୍ତି ଯେ, ଏହି ସଫଳତା ପାଇଁ ସେ ଦୈନିକ ୧୭ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ ନିୟମିତ ଅଧ୍ୟୟନ କରୁଥିଲେ। ଅକ୍ଲାନ୍ତ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଓ ଲକ୍ଷ୍ୟ ପ୍ରତି ନିଷ୍ଠା ଥିଲେ ସଫଳତା ନିଶ୍ଚିତ ମିଳେ ବୋଲି ସେ ପ୍ରକାଶ କରିଛନ୍ତି। ସେ ନିଜ ସଫଳତାର ଶ୍ରେୟ ମାତା-ପିତା, ପରିବାର ସଦସ୍ୟ, ଶିକ୍ଷକ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ଆଶିଷଙ୍କ ଏହି ଅସାଧାରଣ କୃତିତ୍ୱ ପାଇଁ ବର୍ତ୍ତମାନ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

Share