ତୃତୀୟ ଦିନରେ ଆଶାକର୍ମୀଙ୍କ ଧାରଣା

ପାଟଣା,୮ା୧୨(ସ୍ବ.): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗୁରୁବାର ପାଟଣା ବ୍ଲକରେ କାର୍ଯ୍ୟରତ ଆଶାକର୍ମୀମାନେ ବିଭିନ୍ନ ଦାବି ନେଇ ଧାରଣାରେ ବସି ଆନ୍ଦୋଳନ ଜାରି ରଖିଛନ୍ତି। ଗୁରୁବାର ରାଜନଗର ସେକ୍ଟରର ୩୨ରୁ ଊର୍ଦ୍ଧ୍ୱ ଆଶାକର୍ମୀ ୭ ଦଫା ସମ୍ବଳିତ ଦାବି ନେଇ ତୃତୀୟ ଦିନରେ ଧାରଣାରେ ବସିଛନ୍ତି। ଏହି ଧାରଣା ବ୍ଲକ ସଭାପତି ଲତା ମଞ୍ଜରୀ ମହାନ୍ତ, ସମ୍ପାଦିକା ସାବିତ୍ରୀ ସାହୁଙ୍କ ନେତୃତ୍ୱରେ ଦିଆଯାଇଛି। ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ମାସକୁ ୧୮ ହଜାର ଟଙ୍କା ଦରମା, ସ୍ଥାୟୀ ନିଯୁକ୍ତି, ଅବସର ପରେ ମାସକୁ ୫ ହଜାର ଟଙ୍କା ପେନ୍‌ସନ୍‌ ପ୍ରତ୍ୟେକ ସେକ୍ଟରରେ ଆଶାକର୍ମୀମାନଙ୍କ ପାଇଁ ଅଶାଗୃହ ନିର୍ମାଣ ଏବଂ ମେଡିକାଲକୁ ପ୍ରସୂତିଙ୍କୁ ନେଇ ଯାଉଥିବା ଆଶାକର୍ମୀଙ୍କୁ ଡାକ୍ତର ସୁଇପରମାନେ ଦୁର୍ବ୍ୟବହାର ନ କରି ସମ୍ମାନ ଦେବା ଆଦି ଦାବିରେ ଆଶା କର୍ମୀମାନେ ଧାରଣାରେ ବସିଛନ୍ତି।

ସୂଚନା ଯେ, ଆଶାକର୍ମୀଙ୍କ ଧାରଣା ଯୋଗୁ ପ୍ରସୂତିମାନେ ନାନା ହଇରାଣ ହରକତ ହେବା ସହ ରୋଗୀ ସେବାରେ ପ୍ରଭାବ ପଡ଼ିଛି। ଖୁବ୍‌ଶୀଘ୍ର ଆଶା କର୍ମୀଙ୍କ ଦାବିଗୁଡ଼ିକ ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆଶା କର୍ମୀମାନେ ଚେତାବନୀ ଦେଇଛନ୍ତି।