ଆଶାକର୍ମୀଙ୍କୁ ମାଡ଼ ମାମଲା, ଅଭିଯୁକ୍ତଙ୍କ ପତ୍ତାପାଉନି ପୋଲିସ

ପିପିଲି,୨୬ା୮(ସ୍ବ.ପ୍ର.): ପିପିଲି ଥାନା ଦୁର୍ଗାଦାସପୁର ଗ୍ରାମର ଜଣେ କରୋନା ସଂକ୍ରମିତଙ୍କୁ ଆଣିବାକୁ ଯାଇ ଆଶାକର୍ମୀ ଶୈଳବାଳା ସ୍ବାଇଁ ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ଆଶାକର୍ମୀ ଥାନାରେ ଅଭିଯୋଗ କରିବା ସହ ଘଟଣାକୁ ୨ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ପତ୍ତାପାଇପାରୁନି ପୋଲିସ। ଫଳରେ ବ୍ଲକରେ ଆଶାକର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଫେରାର ଥିବା ଅଭିଯୁକ୍ତ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରି ଆଶାକର୍ମୀ ଶୈଳବାଳା ଭୟଭୀତ ହୋଇ ଅଛନ୍ତି। ଗତ ୨୧ ତାରିଖରେ ଦୁର୍ଗାଦାସପୁର ଗ୍ରାମର ଜଣେ ମହିଳା ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ସେଦିନ ସନ୍ଧ୍ୟାରେ ରିପୋର୍ଟ ପଜିଟିଭ ଆସିବାରୁ ଆଶାକର୍ମୀ ଶୈଳବାଳାଙ୍କ ସହ ଏକ ଡାକ୍ତରୀ ଟିମ୍‌ ମହିଳାଙ୍କ ଘରକୁ କଣ୍ଟେନମେଣ୍ଟ କରିବା ସହ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ। ସେଠାରେ ମହିଳାଙ୍କ ସ୍ବାମୀ ଆଶାକର୍ମୀଙ୍କୁ ଗାଳିଗୁଲଜ କରିବାରୁ ଫେରି ଆସିଥିଲେ। ପରଦିନ ଆକ୍ରାନ୍ତ ମହିଳାଙ୍କ ପୁଅ ଆଶାକର୍ମୀଙ୍କ ଘରକୁ ଯାଇ ଏକ ବତାରେ ମାଡ଼ ମାରିଥିଲେ। ଶୈଳବାଳାଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୨୪୪/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆକ୍ରାନ୍ତ ମହିଳା ଜଣକ ଆଶାକର୍ମୀଙ୍କ ବିରୋଧରେ ପାଲଟା ଏତଲା ଦେବାକୁ ଥାନାକୁ ଯାଇଥିବା ବେଳେ ଥାନାର ଅଫିସର ଓ କର୍ମଚାରୀ ହଟହଟା ହୋଇଥିଲେ। ପରେ ଥାନା ଅଧିକାରୀଙ୍କ ରୁମ ସହ ଅଫିସ ଭିତର ସାନିଟାଇଜ କରାଯାଇଥିଲା। ଏ ସମ୍ପର୍କରେ ଥାନାଧିକାରୀ ଗୌରାଙ୍ଗଚରଣ ପୃଷ୍ଟି କୁହନ୍ତି, ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।