ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିସହ ସେମାନେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି।
ଆଶା କର୍ମୀମାନେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ପ୍ରମୁଖ ଓ ପ୍ରାଥମିକ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଦୈନିକ ୨୫୦ ଟଙ୍କା ହିସାବରେ ମାସିକ ୭,୨୫୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।
ତେବେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆଶା କର୍ମୀଙ୍କ ପାଇଁ ଫଣ୍ଡ ଆସି ନଥିବା ଦର୍ଶାଇ ୬ ମାସ ଧରି ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ବ ହୋଇଛି। ବର୍ତ୍ତମାନ ନୂତନ ଭାବେ ଯୋଗଦାନ କରିଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଡିଡି କ୍ଷମତା ପ୍ରଦାନ କରାଯାଇ ନଥିବାରୁ ଆର୍ଥିକ ସହାୟତା ପ୍ରଦାନରେ ଅଧିକ ବିଳମ୍ବ ହୋଇଥିବା ଜଣାପଡ଼ିଛି।
ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆର୍ଥିକ କ୍ଷମତା ପ୍ରଦାନ ପାଇଁ ବିଭାଗ ପକ୍ଷରୁ ପତ୍ରାଳାପ କରାଯାଇଛି। ଖୁବ୍ଶୀଘ୍ର ଆଶା କର୍ମୀଙ୍କୁ ବକେୟା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡା. ଦିଲୀପ କୁମାର ଦୋରା ପ୍ରକାଶ କରିଛନ୍ତି।
ଅପରପକ୍ଷେ, ଆସନ୍ତା ନୂଆଁଖାଇ ପର୍ବ ପାଳନ ପୂର୍ବରୁ ୬ ମାସର ବକେୟା ଆର୍ଥିକ ସହାୟତା ପ୍ରଦାନ ନକଲେ ଆଶା କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।