୫କି.ମି. ଖଟିଆରେ ବୁହା ହେଲେ ଗର୍ଭବତୀ

ଆର.ଉଦୟଗିରି,୧୫ା୯(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ପଞ୍ଚାୟତ କୁମୁଟିକଙ୍କାଳ ଗ୍ରାମକୁ ରାସ୍ତାଟିଏ ନ ଥିବାରୁ ପୁଣି ଜଣେ ଗର୍ଭବତୀଙ୍କୁ ଖଟିଆରେ ୫ କିମି ବୁହା ହୋଇ ଡାକ୍ତରଖାନାକୁ ନିଆଯାଇଛି। କୁମୁଟିକଙ୍କାଳ ଗ୍ରାମର ଉଆଳି ମଲ୍ଲିକଙ୍କ ସ୍ତ୍ରୀ ଲଳିତ ୮ ମାସର ଗର୍ଭବତୀ ଅଛନ୍ତି। ମଙ୍ଗଳବାର ଲଳିତାଙ୍କ ଗର୍ଭଜନିତ ଯନ୍ତ୍ରଣା ଓ ବେଦନା ହୋଇଥିଲା। ଗ୍ରାମବାସୀ ଓ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ କୁମୁଟିକଙ୍କାଳ ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଗ୍ରାମଠାରୁ ୫ କିମି ଦୂର ବଡ଼ପଦା ଗ୍ରାମ ରାସ୍ତାରେ ଆମ୍ବୁଲାନ୍ସ ରହିଲା। ଆମ୍ବୁଲାନ୍ସ ଡ୍ରାଇଭରଙ୍କ କଥାନୁଯାୟୀ ଗ୍ରାମବାସୀ ଓ ପରିବାର ଲଳିତାଙ୍କୁ ଖଟରେ ବୋହି ୫ କିମି ରାସ୍ତା ପାଦଚଲାରେ ଯାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚତ୍ଥିଲେ। ପରେ ଆମ୍ବୁଲାନ୍ସ ଦ୍ୱାରା ଗର୍ଭବତୀଙ୍କୁ ଗଞ୍ଜାମ ଜିଲାର ଡେଙ୍ଗାଓସ୍ତା ଗ୍ରାମରେ ଥିବା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।