ଫେବୃୟାରୀ ସୁଦ୍ଧା ୧୪,୯୪୯ କୋଟିର ଜିଏସ୍‌ଟି ଆଦାୟ

ଭୁବନେଶ୍ୱର,୨୯ା୩(ବ୍ୟୁରୋ):ରାଜ୍ୟରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ସଂଗ୍ରହ ବଢ଼ିଚାଲିଛି। କେବଳ କରୋନା ମହମାରୀ ଯୋଗୁ ୨୦୨୦-୨୧ ବର୍ଷରେ ଏହି ରାଜସ୍ବ ସଂଗ୍ରହ ସାମାନ୍ୟ ହ୍ରାସ ପାଇଥିଲା। ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୧୭ ଜୁଲାଇ ୧ରୁ ସାରା ଦେଶରେ ଜିଏସ୍‌ଟି ପ୍ରଚଳିତ ହୋଇଛି। ଏଥିରେ ମୂଲ୍ୟ ଯୁକ୍ତ କର (ଭାଟ୍‌), କେନ୍ଦ୍ରୀୟ ବିକ୍ରି କର (ସେଣ୍ଟ୍ରାଲ ସେଲ୍‌ସ ଟ୍ୟାକ୍ସ), ପ୍ରବେଶ କର, ପ୍ରମୋଦ କର, ଫରେଷ୍ଟ ଡେଭଲପ୍‌ମେଣ୍ଟ ଟ୍ୟାକ୍ସ ଇତ୍ୟାଦି ରାଜ୍ୟ ଆଦାୟ କରୁଥିବା କର ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ସେଣ୍ଟ୍ରାଲ ଏକ୍ସାଇଜ ଡ୍ୟୁଟି), ସେବା କର ଇତ୍ୟାଦି କେନ୍ଦ୍ରୀୟ କର ମିଶ୍ରଣ ହୋଇଛି। ୬ଟି ଦ୍ରବ୍ୟ ଯଥା-ଅଶୋଧିତ ତୈଳ, ପେଟ୍ରୋଲ୍‌, ଡିଜେଲ୍‌, ପ୍ରାକୃତିକ ଗ୍ୟାସ୍‌, ବିମାନ ଇନ୍ଧନ ଏବଂ ମଦ ଜିଏସ୍‌ଟି ମଧ୍ୟରେ ଅନ୍ତର୍ଭୁକ୍ତ ହୋଇନାହିଁ। ଏହି ୬ ଦ୍ରବ୍ୟ ଉପରୁ ଭାଟ୍‌ ଆଦାୟ ହେଉଛି। ରାଜ୍ୟ ସରକାର ୨୦୧୭-୧୮ ଆର୍ଥିକ ବର୍ଷର ୨୦୧୭ ଜୁଲାଇ ୧ରୁ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ୬,୬୦୯ କୋଟି ୨୭ ଲକ୍ଷ ଟଙ୍କାର ଜିଏସ୍‌ଟି ଆଦାୟ କରିଛନ୍ତି। ସେଥିରେ ଏସ୍‌ଜିଏସ୍‌ଟି ବାବଦକୁ ୩,୭୪୯ କୋଟି ୯୪ ଲକ୍ଷ ଟଙ୍କା ଏବଂ ଆଇଜିଏସଟି ବାବଦକୁ ୨,୮୫୯ କୋଟି ୩୩ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ ଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୧୧,୯୪୨ କୋଟି ୫୮ଲକ୍ଷ ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ସେଥିରେ ଏସ୍‌ଜିଏସଟି ୬,୫୬୬ କୋଟି ୬୯ଲକ୍ଷ ଏବଂ ଆଇଜିଏସ୍‌ଟି ୫,୩୭୫ କୋଟି ୮୯ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ। ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୧୩,୨୦୩.୫୧ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଛନ୍ତି। ସେଥିରେ ୮,୪୫୩.୬୭ କୋଟି ଏସ୍‌ଜିଏସ୍‌ଟି ଏବଂ ୪,୭୪୯.୮୪ କୋଟି ଆଇଜିଏସ୍‌ଟି ଆଦାୟ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ୧୩,୦୪୩ କୋଟି ୧୯ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଛନ୍ତି। ସେଥିରେ ଏସ୍‌ଜିଏସ୍‌ଟି ପରିମାଣ ୮,୨୯୧.୭୮ କୋଟି ଟଙ୍କା ଥିବାବେଳେ ୪,୭୫୧.୪୧ କୋଟି ଟଙ୍କା ଆଇଜିଏସ୍‌ଟି ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଫେବୃୟାରୀ ୨୦୨୨ ଶେଷ ସୁଦ୍ଧା ୧୪,୯୪୯ କୋଟି ୫୪ଲକ୍ଷ ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ସେଥିରେ ଏ୍‌ଜିଏସ୍‌ଟି ବାବଦକୁ ୧୧,୩୮୬.୭୫ କୋଟି ଏବଂ ଆଇଜିଏସ୍‌ଟି ବାବଦକୁ ୩,୫୬୨.୭୯ କୋଟି ଟଙ୍କା ଅନ୍ତର୍ଭୁକ୍ତ।