ଓଡ଼ିଶା ମାଟିରେ ଫଳୁଛି ସେଓ: ପ୍ରେରଣା ସାଜିଛନ୍ତି ଅରୁଣ

ଖୋର୍ଦ୍ଧା ଅଫିସ,୧।୮: କାଶ୍ମୀର କି ହିମାଚଳ ପ୍ରଦେଶ ନୁହେଁ, ଏବେ ଓଡ଼ିଶା ମାଟିରେ ଫଳୁଛି ସେଓ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଆରିକମା ଗାଁର ଅରୁଣ କୁମାର ନାୟକ ଅନ୍‌ଲାଇନରେ ସେଓ ଚାରାକିଣି ନିଜ ବାରିରେ ଲଗାଇଥିଲେ। ଏବେ ସେଥିରେ ଭଳିକି ଭଳି ସେଓ ଫଳିଛି। ଚାଷ କାର୍ଯ୍ୟରୁ ବିମୁଖ ହୋଇ ଦାଦନ ଖଟିବାକୁ ଯାଉଥିବା ଯୁବବର୍ଗ ଓ ଚାଷୀଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଅକ୍ଳାନ୍ତ ପରିଶ୍ରମ, କିଛି କରି ଦେଖାଇବାର ଆକାଂକ୍ଷା କିପରି ସଫଳତା ଆଣେ, ତାହା କରି ଦେଖାଇଛନ୍ତି ଅରୁଣ। ଏହି ସେଓ ଚାଷ ସମ୍ପର୍କରେ ଜାଣି ପ୍ରତିଦିନ ବିଭିନ୍ନ ଅଞ୍ଚଳର ଲୋକେ ଅରୁଣଙ୍କ ବାରିରେ ଭିଡ଼ ଜମାଉଛନ୍ତି।

ଅରୁଣଙ୍କ କହିବାନୁଯାୟୀ, ସୋସିଆଲ ମିଡିଆ (ୟୁଟ୍ୟୁବ)ରେ ହିମାଚଳ ପ୍ରଦେଶରେ ସେଓ ଚାଷ ଦେଖିବା ପରେ ଏଠାରେ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲି। ଏଥିଲାଗି ମାଟି ପ୍ରସ୍ତୁତି, କୃଷି ବିଶେଷଜ୍ଞଙ୍କ ସହ ପରାମର୍ଶ ନେଇଥିଲି। ପରେ ୟୁଟ୍ୟୁବରେ ଦେଖିଥିବା ଏକ ସଂସ୍ଥା ସହ ଯୋଗାଯୋଗ କରି ୩୦ଟି ଚାରା ମଗାଇ ଲଗାଇଥିଲି। ୩ ଫୁଟ ଓସାର ୩ ଫୁଟ ଗଭୀର ଗାତ ଖୋଳି ଖତ ଦେଇ ଚାରାରୋପଣ କରିଥିଲି। ସେଥିରୁ ୩ଟି ମରିଯାଇଥିଲା। ଏହା ପ୍ରାୟ ୬ରୁ ୮ ମାସ ପର୍ଯ୍ୟନ୍ତ ବଢି ଧୀରେ ଧୀରେ ଫୁଲ ଫଳ ଧରିବାକୁ ଆରମ୍ଭ କରିଥିଲା। ଦେଢ଼ ବର୍ଷ ପରେ ଏହି ସଫଳତା ମିଳିଥିଲା। ପ୍ରଥମ ପର୍ଯ୍ୟାୟ ଫଳ ଫଳିଛି। ଆଗାମୀ ଦିନରେ ବି ଭଲ ଫଳ ହେବ। ଗୋଟିଏ ଗଛରୁ ପ୍ରଥମେ ୧୦ରୁ ୨୦କେଜି ପରେ ଅଧିକା ଫଳିବ ବୋଲି ସେ କହିଛନ୍ତି। ୮ମ ଶ୍ରେଣୀ ଯାଏ ପଢିଥିବା ଅରୁଣ ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ଏଥିସହ ସେ ଅନଲାଇନରେ ଉନ୍ନତ ମାନର ପିଜୁଳି, ବରକୋଳି ଚାରା ମଗାଇ ଲଗାଇବା ସହ ମାଛଚାଷ କରୁଛନ୍ତି। ସେ ଏହି ଚାଷ କାର୍ଯ୍ୟ କେବଳ ପାରମ୍ପରିକ ପଦ୍ଧତି(ଜୈବିକ ଖତ) କରୁଛନ୍ତି। ଗ୍ରାମର ଯୁଧିଷ୍ଠିର ନାୟକ କହିଛନ୍ତି, ଅରୁଣ ଜଣେ ଉଦ୍ୟମୀ ସଫଳ ଚାଷୀ। ବିଭିନ୍ନ ସମୟରେ ସେ ବିଭିନ୍ନ ଚାଷ କାର୍ଯ୍ୟ କରି ସଫଳତା ସାଉଁଟିଛନ୍ତ। ଅକ୍ଳାନ୍ତ ପରିଶ୍ରମରୁ ସେଓ ଚାଷ କରି ନିଜେ ସଫଳ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଯୁବ ଚାଷୀଙ୍କ ପାଇଁ ନୂତନ ଆଶା ସଞ୍ଚାରିଛନ୍ତି।