ଶ୍ରୀରାମ କାହାଣୀ କହିଲେ ଅରୁଣ ଗୋଭିଲ୍‌

ଭୁବନେଶ୍ୱର,୬।୨(ବ୍ୟୁରୋ):ଶ୍ରୀ ରାମ ଓ ମୁଁ ପର୍ଯ୍ୟାୟକ୍ରମେ ପରିପୂରକ। ମୁଁ ତାଙ୍କ ନାମ ନିଏ, ଆଉ ସେ ମୋତେ କୃପା କରନ୍ତି। ସବୁ ସମୟରେ ଆମେ ରାମଙ୍କୁ ଖୋଜନ୍ତି। ଆଗକୁ ଯାଇ ଆମକୁ ସବୁକିଛି ମିଳିଲା ପରେ ବି ପୁଣି ଯେଉଁ ଅବସୋସ ରହିଯାଏ, ତାହା ‘ରାମ’ ବୋଲି ରବିବାର ଉତ୍କଳ ମଣ୍ଡପଠାରେ ଆୟୋଜିତ ‘ଶୁନୋ ଶ୍ରୀ ରାମ କାହାଣୀ’ରେ ଯୋଗଦେଇ ଅଭିନେତା ଅରୁଣ ଗୋଭିଲ୍‌ ଏହା କହିଛନ୍ତି। ନୀଳିମା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପ୍ରଥମଥର ପାଇଁ ଶ୍ରୀରାମଙ୍କୁ ନେଇ ଏହି ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗୋଭିଲ୍‌ଙ୍କ ମୁହଁରୁ ଶ୍ରୀରାମଙ୍କ କାହାଣୀ ଶୁଣିବାକୁ ପ୍ରବଳ ସମାଗମ ହୋଇଥିଲା। ଢୋଲ, ମୃଦଙ୍ଗ, ହୁଳହୁଳି, ରାମ ନାମରେ କମ୍ପି ଉଠିଥିଲା ମଣ୍ଡପ। ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ। ସେହି ମର୍ଯ୍ୟାଦା ପୁରୁଷ ରାମଙ୍କ ଭକ୍ତିରେ, ପ୍ରେମରେ ସମସ୍ତେ ମଜି ଯାଇଥିଲେ, ଭିଜି ଯାଇଥିଲେ, ଆଉ ହଜି ବି ଯାଇଥିଲେ।
ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ଶ୍ରୀରାମ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଶ୍ରୀରାମ ଅବତାର ସାଜିଥିବା ଅଭିନେତା ଗୋଭିଲ ଶ୍ରୀରାମ କଥାମୃତ ଆରମ୍ଭ କରିଥିଲେ। ମଝିରେ ମଝିରେ ପ୍ରାୟ ୧୪ ଜଣରୁ ଅଧିକ ନାମୀଦାମୀ କଳାକାର ମଣ୍ଡପରେ ରାମାୟଣ ମହାପୁରାଣର ବିଭିନ୍ନ କଥାବସ୍ତୁକୁ ଅଭିନୟ, ସଙ୍ଗୀତ ଓ ଦୃଶ୍ୟ ଚିତ୍ରଣ ମାଧ୍ୟମରେ ପରିବେଷଣ କରିଥିଲେ। କଳାକାରମାନେ ରାମଙ୍କ ଜନ୍ମ, ଶିକ୍ଷା, ବାଲ୍ୟକାଳ, ବିବାହ, ବନବାସ ଆଦିକୁ ଦର୍ଶକଙ୍କ ପାଖରେ ନିଆରା ଢଙ୍ଗରେ ଉପସ୍ଥାପନ କରିଥିଲେ। ଏହି ସାରସ୍ବତ ଓ ଆଧ୍ୟାତ୍ମିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ୨ହଜାରରୁ ଊର୍ଦ୍ଧ୍ୱ ନିମନ୍ତ୍ରିତ ଅତିଥି ଯୋଗଦେଇଥିଲେ। ଟ୍ରଷ୍ଟର ଟ୍ରଷ୍ଟି ଗୌରବ ରାଲହନ, ବାସୁଦେବ ଭଟ୍ଟ, ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ, ସଞ୍ଜୟ ମହାନ୍ତି ଓ ରନି ଦାଶ, ପ୍ରସନ୍ନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।