ନାଗରିକଙ୍କ ସେବାରେ କୃତ୍ରିମ ବୁଦ୍ଧିମତ୍ତା

ବିଶ୍ୱରେ ଅନେକ ଦେଶ ନିଜ ନାଗରିକଙ୍କ ସୁବିଧା ପାଇଁ ଅଧିକ କିଛି କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଦେଖାଯାଉଛି ସେମାନେ ପ୍ରାୟତଃ ପୁରୁଣା ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଫଳରେ ସରକାରୀ ସେବା ପାଇବା ସକାଶେ ଶ୍ରମ, ଶକ୍ତି ଦେଇ କଷ୍ଟ ସ୍ବୀକାର କରିବାକୁ ପଡ଼େ। ଜଣେ ମା’ ଅଧାଦିନ ଚାଲି ଚାଲି ସ୍ବସ୍ଥ୍ୟକେନ୍ଦ୍ରରେ ପହଞ୍ଚୁଥିଲେ ମଧ୍ୟ ଅନ୍ୟ ଏକ ସହରର କାର୍ଯ୍ୟାଳୟରୁ ଫର୍ମ ଆଣିବାକୁ ପଡ଼ିବ ବୋଲି କହି ତାଙ୍କୁ ଫେରାଇ ଦିଆଯାଏ। ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ଚାଷୀ ଦୌଡ଼ି ଦୌଡ଼ି ଶେଷରେ ହାର ମାନନ୍ତି। ଯଦି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାକୁ ଠିକ୍‌ ଭାବରେ ବ୍ୟବହାର କରାଯାଏ, ତେବେ ସମସ୍ୟାଗୁଡ଼ିକୁ ଦୂର କରାଯିବା ସହିତ ସରକାରୀ ସେବାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଯାଇପାରିବ।
ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକ ପାଇଁ ଏଆଇର ଅଧିକ ଗୁରୁତ୍ୱ ରହିଛି। କୃଷି, ସ୍ବାସ୍ଥ୍ୟସେବା ଏବଂ ଶିକ୍ଷା କ୍ଷେତ୍ରରେ ଏଆଇର ସମ୍ଭାବ୍ୟ ଅବଦାନ ଅତ୍ୟନ୍ତ ଆଶାଜନକ । ଏହା ସହ ବିଶ୍ୱ ବ୍ୟାଙ୍କର ‘ୱାଲର୍‌ଡ ଡେଭଲପ୍‌ମେଣ୍ଟ ରିପୋର୍ଟ, ୨୦୨୬’ ଆକଳନ ଅନୁଯାୟୀ, ଯଦି ଏବେକାର ଏଆଇ ବିକାଶ ଧାରା ଜାରି ରହେ, ତେବେ ଏଆଇର ଉତ୍ପାଦକତା ଲାଭ ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ଦୁଇଗୁଣରୁ ଅଧିକ ହୋଇପାରେ। ଏହି ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ କେଉଁ ଦିଗକୁ ଗତି କରିବ, ତାହା ଏବେ ଏହାର ନିର୍ମାଣ, ଅର୍ଥଯୋଗାଣ ଓ ବ୍ୟବହାର ସମ୍ପର୍କରେ ନିଷ୍ପତ୍ତି ନେଉଥିବା ଏଆଇ ବିକାଶକାରୀ ସଂସ୍ଥା, ନିବେଶକ ତଥା ସରକାରମାନଙ୍କ ଉପରେ ନିର୍ଭର କରିବ।
ଅକ୍ଟୋବରରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଆଇଏମ୍‌ଏଫ୍‌-ବିଶ୍ୱବ୍ୟାଙ୍କ ବାର୍ଷିକ ବୈଠକରେ କହିଥିଲେ ଯେ, ଏଆଇ ବ୍ୟବହାର ବିଦ୍ୟୁତ୍‌ ଉପଲବ୍ଧତା, ଡିଜିଟାଲ ସଂଯୋଗୀକରଣ ଏବଂ ଦକ୍ଷତାସମ୍ପନ୍ନ କର୍ମଚାରୀଙ୍କ ଉପରେ ନିର୍ଭର କରେ। କିନ୍ତୁ ବିକାଶମୂଳକ ଅର୍ଥନୀତି କ୍ଷେତ୍ରରେ ଅନେକ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ମୋର ଦୃଢ଼ ବିଶ୍ୱାସ ଯେ, ଉପଲବ୍ଧତା ବଡ଼ ପ୍ରତିବନ୍ଧକ ନୁହେଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଆଇକୁ ପ୍ରଭାବଶାଳୀ ଭାବେ ବ୍ୟବହାର କରିବା ପାଇଁ ସରକାରୀ କ୍ଷମତା ବଢ଼ାଇବା ଆବଶ୍ୟକ।
ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ଏଆଇକୁ ନେଇ ଆରମ୍ଭ ହୋଇଥିବା ବିତର୍କ ମୁଖ୍ୟତଃ ସୁରକ୍ଷା, ନିରାପତ୍ତା ଏବଂ ଚାକିରି ହରାଇବା ଭୟ ଉପରେ କେନ୍ଦ୍ରିତ ହୋଇଛି। କିନ୍ତୁ ଏଆଇ ପ୍ରକୃତରେ ଲୋକଙ୍କ ସେବାରେ କିପରି ନିୟୋଜିତ ହେବ ତାହା ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ପାଇଁ ବଡ଼ ପ୍ରଶ୍ନ। ଏଆଇ ଟୁଲ୍ସ ବା ଆପ୍ଲିକେଶନ ସ୍ଥାନୀୟ ଭାଷାରେ କାର୍ଯ୍ୟ କରିବା, ସ୍ଥାନୀୟ ତଥ୍ୟ ଆଧାରରେ ପ୍ରଶିକ୍ଷିତ ହେବା ଏବଂ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ମିତ ହେବା ଆବଶ୍ୟକ। ସମସ୍ୟା ସାମ୍ନା କରୁଥିବା ଅନୁଷ୍ଠାନ ଓ ଲୋକମାନଙ୍କ କ୍ଷେତ୍ରରେ ନିବେଶ କରିବାକୁ ପଡ଼ିବ। ଏହି କାର୍ଯ୍ୟର ବଡ଼ ଦାୟିତ୍ୱ ଏଆଇ ଟୁଲ୍ସ ନିର୍ମାଣ କରୁଥିବା କମ୍ପାନୀ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଦେଉଥିବା ସଂସ୍ଥାଗୁଡ଼ିକ ଉପରେ ନ୍ୟସ୍ତ ରହିଛି। କିିନ୍ତୁ ଯଦି ସରକାରଙ୍କ ପାଖରେ ଏଗୁଡ଼ିକୁ କାର୍ଯ୍ୟକାରୀ କରିବାର କ୍ଷମତା ନ ଥାଏ, ତେବେ ସର୍ବୋତ୍ତମ ଏଆଇ ଟୁଲ୍ସ ଥିଲେ ମଧ୍ୟ ଆଶାନୁରୂପ ଫଳାଫଳ ମିଳିପାରିବ ନାହିଁ। ଏହି କ୍ଷମତା ସୃଷ୍ଟି କରିବା ପାଇଁ ଏଆଇ ବ୍ୟବସ୍ଥାଗୁଡ଼ିକୁ ଏବେକାର ସରକାରୀ କାର୍ଯ୍ୟକ୍ରମ ସହିତ ସମନ୍ବିତ କରାଯିବା ଆବଶ୍ୟକ। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚାଷୀଙ୍କ ପାଇଁ ମାଗଣା ଏଆଇ ପରାମର୍ଶଦାତା ସେବା ‘ମହାଭିସ୍ତାର’ ଏହାର ଏକ ଦୃଷ୍ଟାନ୍ତ। ଏଥିରେ ଚାଷୀମାନେ ଏକ ଆପ୍‌, ଭଏସ କଲ୍‌ କିମ୍ବା ଚାଟ୍‌ ମାଧ୍ୟମରେ ନିଜ ଭାଷାରେ ଫସଲ, ପାଣିପାଗ ଏବଂ ରୋଗପୋକ ବିଷୟରେ ପଚାରିପାରିବେ। ଏବେ ସୁଦ୍ଧା ୭,୪୦,୦୦୦ରୁ ଅଧିକ ଚାଷୀ ଏଥିରେ ଯୋଡ଼ି ହୋଇସାରିଲେଣି ଏବଂ ପ୍ରତି ମାସରେ ୭୦,୦୦୦ ନୂଆ ବ୍ୟବହାରକାରୀ ପଞ୍ଜୀକରଣ କରୁଛନ୍ତି। ଏହି ବ୍ୟବସ୍ଥା ସଫଳ ହେବାର କାରଣ ହେଉଛି, ସରକାର ଏହାକୁ ଏକ ସାଧାରଣ ଆପ୍‌ ଭାବରେ ନ ଦେଖି, ନିଜର ନେଟୱର୍କ ଉପରେ ନିର୍ମିତ ଏକ ନୂତନ ସାର୍ବଜନୀନ ଭିତ୍ତିଭୂମି ଭାବେ ଗ୍ରହଣ କରିଛନ୍ତି।
ନିକଟରେ ପାକିସ୍ତାନ ଗସ୍ତ ସମୟରେ ପଞ୍ଜାବ ସରକାର ଏହି ଧରଣର କ୍ଷମତା ବିକାଶ କରିଥିବା ମୁଁ ଦେଖିବାକୁ ପାଇଛି। ପଞ୍ଜାବ ସରକାର ଏଆଇ ପାଇଁ ଏକ ସରକାରୀ କାର୍ଯ୍ୟାଳୟ ସ୍ଥାପନ କରିଛନ୍ତି ଏବଂ ଗବେଷକଙ୍କ ସହ ମିଶି ସ୍ଥାନୀୟ ଭାଷାରେ ଜନସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆପ୍ଲିକେଶନ ବିକଶିତ କରୁଛନ୍ତି, ଯାହା ତୃଣମୂଳ ସ୍ତରର ସ୍ବାସ୍ଥ୍ୟକର୍ମୀଙ୍କୁ ଠିକ୍‌ ସମୟରେ ମା’ମାନଙ୍କ ନିକଟରେ ଉପଯୁକ୍ତ ପରାମର୍ଶ ପହଞ୍ଚାଇବାରେ ସାହାଯ୍ୟ କରିପାରିବ। ଏଣୁ ନାଗରିକଙ୍କୁ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଏଆଇ ଉପକରଣଗୁଡ଼ିକ ସାର୍ବଜନୀନ ବ୍ୟବସ୍ଥା ଏବଂ ତଥ୍ୟ ଉପରେ ଚାଲିବା ପାଇଁ ନିର୍ମାଣ କରାଯିବା ଉଚିତ। ନୀତି ନିର୍ଦ୍ଧାରକମାନେ ନିଜ ଦେଶ ପାଇଁ ଚୟନ କରୁଥିବା ଡାଟା-ଶେୟାରିଂ ଏବଂ ସୁରକ୍ଷା ନିୟମାବଳୀକୁ ମଧ୍ୟ ପାଳନ କରିବା ଉଚିତ। ଏହାସହ ସରାକାର ଯେପରି ଏଆଇ ଉପକରଣଗୁଡ଼ିକୁ କ୍ରୟ କରିପାରିବେ ଓ ଦୀର୍ଘକାଳ ପର୍ଯ୍ୟନ୍ତ ଚଳାଇପାରିବେ, ସେଥିପାଇଁ ଏହାର ମୂଲ୍ୟ ମଧ୍ୟ ସୁଲଭ ହେବା ଆବଶ୍ୟକ।
ମୋ ଅନୁଭୂତି ଅନୁଯାୟୀ, ଏଆଇ କ୍ଷମତା ବଢ଼ାଇବା ପାଇଁ ତିନୋଟି ବିଷୟ ଉପରେ ଧ୍ୟାନ ଦେବା ଜରୁରୀ। ପ୍ରଥମତଃ, ସରକାରଙ୍କୁ ଏପରି ନେତୃତ୍ୱର ଆବଶ୍ୟକତା ରହିଛି ଯେଉଁମାନେ ଏଆଇର ସର୍ବୋତ୍ତମ ବ୍ୟବହାର କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ସହ ସାଂସ୍ଥାଗତ ଦାୟିତ୍ୱବୋଧ ଓ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ରକ୍ଷା କରିପାରିବେ। ଏକ ଏଆଇ ରଣନୀତି ପାଇଁ ସ୍ପଷ୍ଟ ବଜେଟ ଏବଂ ବିସ୍ତୃତ ସମୟସୀମା ରହିବା ଆବଶ୍ୟକ ଏବଂ ଏହାକୁ ସଶକ୍ତ ମନ୍ତ୍ରଣାଳୟଗୁଡ଼ିକର ସମର୍ଥନ ମିଳିବା ଦରକାର। ଏହାସହ ଏପରି ଏକ ବ୍ୟବସ୍ଥା ରହିବା ଦରକାର, ଯାହାର ନିଷ୍ପତ୍ତି ସମସ୍ତ ସରକାରୀ ବିଭାଗ ପାଇଁ ବାଧ୍ୟତାମୂଳକ ହେବ। ଦ୍ୱିତୀୟତଃ, ଏଆଇ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଓ ଦକ୍ଷତା ଥିବା ସରକାରୀ କର୍ମଚାରୀ ଆବଶ୍ୟକ, ଯେଉଁମାନେ ଏହି ବ୍ୟବସ୍ଥାଗୁଡ଼ିକର ଆବଶ୍ୟକତା ନିର୍ଦ୍ଧାରଣ, କ୍ରୟ, ସମନ୍ବୟ, ମୂଲ୍ୟାଙ୍କନ ଓ ନିୟନ୍ତ୍ରଣ କରିପାରୁଥିବେ। ଆବଶ୍ୟକ ବୈଷୟିକ ଦକ୍ଷତାସମ୍ପନ୍ନ ଲୋକଙ୍କୁ ସରକାରୀ ଚାକିରି ଆଡ଼କୁ ଆକର୍ଷିତ କରିବା ପାଇଁ ଏକ ସୁସଂଗଠିତ ପ୍ରତିଭା ବିକାଶ ବ୍ୟବସ୍ଥା ଗଢ଼ିବାକୁ ପଡ଼ିବ। ଏପରି କି ଧନୀ ଦେଶଗୁଡ଼ିକ ମଧ୍ୟ ଏହି ଆବଶ୍ୟକତା ପୂରଣ କରିବାର ଉପାୟ ଏପର୍ଯ୍ୟନ୍ତ ଜାଣିପାରିନାହାନ୍ତି। ବିକାଶଶୀଳ ଦେଶଗୁଡ଼ିକ ଏହା ଉପରେ ଗୁରୁତ୍ୱ ଦେବା ଦରକାର।
ତୃତୀୟତଃ, ସରକାରମାନଙ୍କୁ ଇ-ଗଭର୍ନାନ୍ସ ସେବା ପ୍ରଦାନ, ଡିଜିଟାଲ ପରିଚୟ ପତ୍ର, ଅର୍ଥ ନେଣଦେଣ ବ୍ୟବସ୍ଥା ଏବଂ ଏକ ସୁରକ୍ଷିତ ତଥ୍ୟ ଆଦାନପ୍ରଦାନ ସ୍ତରକୁ ଅନ୍ତର୍ଭୁକ୍ତ କରି ଏକ ସମନ୍ବିତ ସାର୍ବଜନୀନ ଡିଜିଟାଲ୍‌ ଭିତ୍ତିଭୂମି ଗଢ଼ିବାକୁ ପଡ଼ିବ। ଦୁର୍ବଳ ଡିଜିଟାଇଜେଶନ ଏବଂ ପରସ୍ପରଠାରୁ ବିଚ୍ଛିନ୍ନ ବ୍ୟବସ୍ଥା ଏଆଇର କାର୍ଯ୍ୟଦକ୍ଷତା ଏବଂ ସୁରକ୍ଷା ପାଇଁ ଏକ ପ୍ରତିବନ୍ଧକ। ଥରେ ଏହି ଭିତ୍ତିଭୂମି ପ୍ରତିଷ୍ଠା ହୋଇଗଲେ, ଏଆଇ ମଧ୍ୟ ସରକାରୀ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବାରେ ସାହାଯ୍ୟ କରିପାରିବ। ଏହା ଠକେଇ, ସାଇବର ଆକ୍ରମଣ ଓ ଅସ୍ବାଭାବିକ ତଥ୍ୟଗତ ଧାରାକୁ ଚିହ୍ନଟ କରିପାରିବ।
ଏଆଇ ଉପକରଣ ବା ଟୁଲ୍ସ ନିର୍ମାଣ କରିବା ହୁଏତ ସହଜ ହୋଇପାରେ। କିନ୍ତୁ ଏଆଇ ଜଣେ ମା’ କିମ୍ବା କୃଷକଙ୍କ ନିକଟରେ ପହଞ୍ଚତ୍ବ କି ନାହିଁ, ତାହା ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଅପେକ୍ଷା ସରକାରୀ ନିଷ୍ପତ୍ତି ଉପରେ ଅଧିକ ନିର୍ଭର କରିବ। ଯଦି ନୀତି ନିର୍ଦ୍ଧାରକମାନେ ଠିକ୍‌ ଭାବେ ନିଷ୍ପତ୍ତି ନିଅନ୍ତି, ତେବେ ଏଆଇ ଏକ ଦେଶକୁ ତାହାର ମୌଳିକ ଏବଂ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ପାଳନ କରିବାରେ ସହାୟତା କରିପାରିବ। ଅର୍ଥାତ୍‌ ନିଜ ନାଗରିକଙ୍କୁ ଦକ୍ଷତାର ସହ ସେବା ପ୍ରଦାନ କରିପାରିବ।

କଳ୍ପନା କୋଚ୍ଚର
-ଅନ୍ତରୀଣ ଅଧ୍ୟକ୍ଷ(ଗ୍ଲୋବାଲ୍‌ ପଲିସି ଏବଂ ଆଡଭୋକେସି) ଗେଟ୍ସ ଫାଉଣ୍ଡେଶନ

 

Dharitri – Odisha’s No.1 Odia Daily