ଧାମନଗରରେ ଲାଗିଲା ୧୪୪ ଧାରା, ୭ ତାରିଖ ଯାଏ ବଳବତ୍ତର

ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗରରେ ୧୪୪ ଧାରା ଜାରି ହୋଇଛି। ମଙ୍ଗଳବାର ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ବୁଧବାର ଏନ୍‌ଏସି ନିର୍ବାଚନ ଲାଗି ଭୋଟ ଗଣତି ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଭଦ୍ରକ ଉପଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଧାମନଗର କଲ୍ୟାଣ ମଣ୍ଡପରେ ଭୋଟ ଗଣତି କେନ୍ଦ୍ର କରାଯାଇଥିବା ବେଳେ ତା’ନିକଟକୁ କୌଣସି ୪ ଚକିଆ ଯାନ ଯାଇପାରିବ ନାହିଁ ବୋଲି ଉପଜଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍‌ ଗଣତିକୁ ବନ୍ଦ କରାଯାଇଥିଲା। ତା’ ସହିତ ଏହି ୬ଟି ୱାର୍ଡରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ମଙ୍ଗଳବାର ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇ ୭୨% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ବୁଧବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବା ନେଇ ଭଦ୍ରକ ଉପଜିଲାପାଳ ସୂଚନା ଦେଇଛନ୍ତି।