ଆରଟେମିସ ଚନ୍ଦ୍ର ଅଭିଯାନ

ଯୁକ୍ତରାଷ୍ଟ୍ର ଆମେରିକାର ଶେଷ ଚନ୍ଦ୍ର ଅଭିଯାନ ୧୯୭୨ ମସିହାରେ ହୋଇଥିଲା। ଏବେ ଏହାର ଠିକ୍‌ ୫୦ ବର୍ଷ ପରେ ଚନ୍ଦ୍ରକୁ ଆଉ ଏକ ଅଭିଯାନ ପ୍ରେରଣ କରିବାକୁ ଯାଉଛି l ଏହି ଅଭିଯାନର ନାମ ଆରଟେମିସ (Artemis) l ଏହି ଅଭିଯାନ ଜରିଆରେ ଚନ୍ଦ୍ରପୃଷ୍ଠର ବିସ୍ତୃତ ଅନୁସନ୍ଧାନ ବ୍ୟତୀତ ସୁଦୂର ଅନ୍ତରୀକ୍ଷର ଅନ୍ୟାନ୍ୟ ସ୍ଥାନକୁ ଯାତ୍ରା କରିହେବ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଆଶା ବାନ୍ଧିଛି। ଏହି ଅଭିଯାନର ପ୍ରଥମ ରକେଟ ‘ସ୍ପେଶ ଲଞ୍ଚ ସିଷ୍ଟମ: SLS’କୁ ଆଗାମୀ ମେ’ ମାସରେ ଚନ୍ଦ୍ରଯାତ୍ରା ଉଦ୍ଦେଶ୍ୟରେ ଫ୍ଲୋରିଡାସ୍ଥିତ କେନେଡି ଅନ୍ତରୀକ୍ଷ କେନ୍ଦ୍ରକୁ ନିକଟରେ ସ୍ଥାନାନ୍ତରିତ କରାଯାଇଛି। ଏହି ଅଭିଯାନକୁ ଗ୍ରୀକ୍‌ ପୁରାଣର ଚନ୍ଦ୍ର ତଥା ବନ୍ୟଶିକାରର ଦେବୀ ଆରଟେମିସଙ୍କ ନାମ ଅନୁସାରେ ନାମିତ କରାଯାଇଛି। ଗ୍ରୀକ୍‌ ପୁରାଣରେ ଆରଟେମିସଙ୍କୁ ସୂର୍ଯ୍ୟ, ଆଲୋକ ତଥା ଜ୍ଞାନର ଦେବତା ଆପୋଲୋ (Apollo)ଙ୍କ ଯମଜ ଭଗିନୀ ତଥା ଶିକାରୀ ପୁରୁଷ ଓରିଓନ (Orion)ର ସାଥୀ ରୂପେ ବର୍ଣ୍ଣନା କରାଯାଇଛି।
ଚନ୍ଦ୍ର ଅଭିଯାନର ଇତିହାସ: ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଉଭୟ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି। ରୁଷିଆର ଏକ ଯାନ ‘ଲୁନା -୨’, ୧୯୫୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ। ଏହି ସିରିଜର ପରବର୍ତ୍ତୀ ଯାନ ‘ଲୁନା -୩’ ସେହି ୧୯୫୯ ମସିହା ଅକ୍ଟୋବର ୭ ତାରିଖରେ ଚନ୍ଦ୍ର ଚାରିପଟେ ଘୂରିଘୂରି ପ୍ରଥମଥର ପାଇଁ ଚନ୍ଦ୍ରର ଦୂରପାର୍ଶ୍ୱର ଫଟୋଚିତ୍ର ଉତ୍ତୋଳନ କରେ। ରୁଷିଆର ଅନ୍ୟ ଦୁଇ ଯାନ ‘ଲୁନା -୯’ ଓ ‘ଲୁନା -୧୭’ ୧୯୬୬ ମସିହାରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାକୁ ସକ୍ଷମ ହୁଅନ୍ତି। ଚନ୍ଦ୍ର ଅଭିଯାନରେ ଏପର୍ଯ୍ୟନ୍ତ ପଛରେ ପଡ଼ିଥିବା ଯୁକ୍ତରାଷ୍ଟ୍ର ଆମେରିକା ‘ଆପୋଲୋ’ କାର୍ଯ୍ୟକ୍ରମ ଭଳି କିଛି ମନୁଷ୍ୟ ଥିବା ଅଭିଯାନକୁ ହାତକୁ ନିଏ। ଏହାର ଏକ ଅଭିଯାନ ‘ଆପୋଲୋ-୮’ ଜରିଆରେ ତିନି ଜଣ ମହାକାଶଚାରୀ ୧୯୬୮ ମସିହା ଡିସେମ୍ବର ୨୪ ତାରିଖ ଦିନ ଚନ୍ଦ୍ରକୁ ସଫଳତା ପୂର୍ବକ ପରିକ୍ରମା କରିବାକୁ ସକ୍ଷମ ହୁଅନ୍ତି। ମାତ୍ର ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଥିଲା ୧୯୬୯ ମସିହା ଜୁଲାଇ ୨୦ ତାରିଖ: ଏହି ଦିନ ତିନି ଜଣ ମହାକାଶଚାରୀଙ୍କୁ ନେଇ ଯାଇଥିବା ଅନ୍ୟ ଏକ ଯାନ ‘ଆପୋଲୋ -୧୧’ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରେ ଏବଂ ମହାକାଶଚାରୀ ନେଲ୍‌ ଆରମଷ୍ଟ୍ରଙ୍ଗ ସର୍ବପ୍ରଥମେ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରନ୍ତି। ପରବର୍ତ୍ତୀ ୧୯୭୦ ମସିହା ନଭେମ୍ବର ୧୭ ତାରିଖରେ ରୁଷିଆ ଚନ୍ଦ୍ରପୃଷ୍ଠକୁ ଏକ ସଫଳ ଅଭିଯାନ ପ୍ରେରଣ କରିଥିଲା। ଏଥିରୁ ଏକ ଚକଲଗା ଗାଡି (ନାମ : ଲୁନାଖୋଡ଼-୧) ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରେ। ଯୁକ୍ତରାଷ୍ଟ୍ର ଆମେରିକା ୧୯୭୨ ମସିହା ଡିସେମ୍ବର ମାସରେ ‘ଆପୋଲୋ -୧୭’ ଯାନ ଜରିଆରେ ଚନ୍ଦ୍ରକୁ ନିଜର ଶେଷ ଅଭିଯାନ ପ୍ରେରଣ କରିଥିଲା। ରୁଷିଆର ଅନ୍ୟ ତିନି ଅଭିଯାନ ଯଥା ‘ଲୁନା -୧୬’, ‘ଲୁନା – ୨୦’ ଓ ‘ଲୁନା -୨୪’ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସମୁଦାୟ ୬ଟି ଅଭିଯାନ (ଯଥା ‘ଆପୋଲୋ -୧୧’ରୁ ‘ଆପୋଲୋ-୧୭: ଆପୋଲୋ-୧୩ ବ୍ୟତୀତ) ଚନ୍ଦ୍ର ପୃଷ୍ଠରୁ ଶିଳାପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ସକ୍ଷମ ହୋଇଛନ୍ତି।
ଆରଟେମିସ ଅଭିଯାନର ଅଭିପ୍ରାୟ: ଆରଟେମିସ ଅଭିଯାନର ଅଭିପ୍ରାୟ ବିଗତ ଆପୋଲୋ ଅଭିଯାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଆପୋଲୋ ଅଭିଯାନ ଚନ୍ଦ୍ରପୃଷ୍ଠକୁ ସଂକ୍ଷିପ୍ତ ପରିଦର୍ଶନ ନିମନ୍ତ ଉଦ୍ଦିଷ୍ଟ ଥିଲାବେଳେ ଆରଟେମିସ ଅଭିଯାନ ଦ୍ୱାରା ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଦୀର୍ଘ ଦିନ ଅବସ୍ଥାନ କରି ବିସ୍ତୃତ ଅନୁସନ୍ଧାନ କରିବେ ବୋଲି ଆଶା କରାଯାଏ। ଏହି ଅଭିଯାନକୁ ଭିତ୍ତି କରି ମଙ୍ଗଳ ଗ୍ରହକୁ ମଧ୍ୟ ଏକ ମାନବ ଥିବା ଅଭିଯାନ ପ୍ରେରଣ କରାଯାଇପାରିବ।
ରକେଟ ଓ କ୍ୟାପସୁଲ: ଆରଟେମିସ ଅଭିଯାନରେ ଏକ ଶକ୍ତିଶାଳୀ ରକେଟ ଅନ୍ତର୍ଭୁକ୍ତ ଅଛି, ଯାହା ମାନବ କିମ୍ବା ଯନ୍ତ୍ରାବଳି ସ୍ଥାନିତ ଥିବା ଏକ କ୍ୟାପସୁଲକୁ ନେଇ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିପାରିବ। ଏହି ରକେଟର ନାମ: ସ୍ପେଶ ଲଞ୍ଚ ସିଷ୍ଟମ: SLS। ଏହାର ଉଚ୍ଚତା ୨୧୨ ଫୁଟ ଏବଂ ବ୍ୟାସ ୨୭.୬ ଫୁଟ। ଏହାକୁ ଗତି ପ୍ରଦାନ କରିବା ପାଇଁ ୪ଟି ଦକ୍ଷ ଇଞ୍ଜିନ୍‌ ଖଞ୍ଜା ଅଛି, ଯାହା ମହାକାଶର ଅତି ଶୀତଳ ତାପମାତ୍ରାରେ କାର୍ଯ୍ୟ କରିପାରିବ। ଏହା ବିଶ୍ୱର ସବୁଠାରୁ ଉଚ୍ଚା, ଶକ୍ତିଶାଳୀ ଓ ଅଧିକ ଭାର ବହନ କରି ପାରୁଥିବା ରକେଟ। ଏହି ରକେଟ ନିଜର ଅଗ୍ରଭାଗରେ ମନୁଷ୍ୟ ଥିବା ଏକ କ୍ୟାପସୁଲକୁ ବହନ କରି ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ। ଏହି କ୍ୟାପସୁଲର ନାମ ଓରିଓନ (Orion) ରଖାଯାଇଛି ଯାହାର ଓଡ଼ିଆରେ ନାମ କାଳପୁରୁଷ। କ୍ୟାପସୁଲ ମଧ୍ୟରେ ମନୁଷ୍ୟ ଅବସ୍ଥାନ କରି ମହାକାଶରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ସମସ୍ତ ବ୍ୟବସ୍ଥା ଅଛି। ଏହା ମଧ୍ୟ ଅନ୍ତରୀକ୍ଷରୁ ମହାକାଶଚାରୀଙ୍କୁ ନେଇ ପୃଥିବୀର ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରି ସୁରକ୍ଷିତ ଅବତରଣ କରିପାରିବ। ଏଥିରେ ୬ ଜଣ ମହାକାଶଚାରୀ ଏକସମୟରେ ଆରୋହଣ କରି ଏକ ନିମ୍ନ ପୃଥିବୀ କକ୍ଷପଥ (Lower Earth Orbit) ରେ ୨୧ ଦିନ କାଳ ଅବସ୍ଥାନ କରିପାରିବେ। ଶକ୍ତି ଆହରଣ ନିମନ୍ତେ ଏଥିରେ ସୌରଫଳକ ଏବଂ ଗତି ପ୍ରଦାନ ନିମନ୍ତେ ମୁଖ୍ୟ ଇଞ୍ଜିନ ସମେତ ସମୁଦାୟ ୮ଟି ସହାୟକ ଇଞ୍ଜିନ ସ୍ଥାନିତ ଅଛି। ଏହାର ଉତ୍‌କ୍ଷେପଣ କାଳୀନ ଓଜନ ୧୦,୪୦୦ କି. ଗ୍ରା.। ଏହି କ୍ୟାପସୁଲକୁ ମଧ୍ୟ ଅନେକ ଥର ବ୍ୟବହାର କରି ଅଭିଯାନ ଖର୍ଚ୍ଚ ହ୍ରାସ କରାଯାଇପାରିବ।
ଅଭିଯାନ: ପ୍ରଥମ ଆରଟେମିସ ଅଭିଯାନ ‘ଆରଟେମିସ-୧’ ଚଳିତବର୍ଷ ମେ ମାସର ଶେଷ ଆଡ଼କୁ ଯାତ୍ରାରମ୍ଭ କରିବ। ଏହା ଚନ୍ଦ୍ର କକ୍ଷପଥରେ ଏକ ମାନବବିହୀନ ଓରିଓନ କ୍ୟାପସୁଲ ସ୍ଥାପନ କରିବ। ଏହି କ୍ୟାପସୁଲ ଚନ୍ଦ୍ରକୁ ପରିକ୍ରମା କରି କିଛିଦିନ ପରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବ। ଦ୍ୱିତୀୟ ଅଭିଯାନ ‘ଆରଟେମିସ-୨’ ଆଗାମୀ ୨୦୨୪ ମସିହାରେ ଯାତ୍ରାରମ୍ଭ କରିବ। ଏହା ଚନ୍ଦ୍ର କକ୍ଷପଥରେ ମାନବ ଥିବା ଓରିଓନ କ୍ୟାପସୁଲ ସ୍ଥାପନ କରିବ। ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ନାହିଁ; ବରଂ ଚନ୍ଦ୍ରକୁ ପରିକ୍ରମା କରି କିଛି ଦିନ ପରେ ସେହି କ୍ୟାପସୁଲ ଜରିଆରେ ପୃଥିବୀକୁ ଫେରିଆସିବେ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆରଟେମିସ -୩ ଅଭିଯାନ ୨୦୨୫ ମସିହାରେ ଯାତ୍ରାରମ୍ଭ କରିବ। ଏଥିରେ ଜଣେ ମହିଳା ମହାକାଶଚାରୀଙ୍କ ସମେତ ସମୁଦାୟ ଚାରି ଜଣ ଯାତ୍ରୀ ରହିବେ। ସେମାନେ ଓରିଓନ କ୍ୟାପସୁଲ ଜରିଆରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ। ସେମାନେ ଚନ୍ଦ୍ରପୃଷ୍ଠରେ ୬ ଦିନ କାଳ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ସମ୍ପାଦନ ପୂର୍ବକ ସେହି ଓରିଓନ କ୍ୟାପସୁଲ ଜରିଆରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବେ। ପରବର୍ତ୍ତୀ ଆରଟେମିସ ଅଭିଯାନଗୁଡିକ ଜରିଆରେ ଚନ୍ଦ୍ରପୃଷ୍ଠରେ ମନୁଷ୍ୟର ଏକ ସ୍ଥାୟୀ ଘାଟି ପ୍ରତିଷ୍ଠା କରାଯିବ ଏବଂ ସେଠାକୁ ବିସ୍ତୃତ ଅନୁସନ୍ଧାନ ନିମନ୍ତେ ବହୁସଂଖ୍ୟକ ଭାରି ଉପକରଣ, ଯନ୍ତ୍ରମାନବ ଓ ସେନ୍ସର ନିୟମିତ ପ୍ରେରଣ କରାଯିବ। ଏହି ସୁବିଶାଳ ଭିତ୍ତିଭୂମିକୁ ବ୍ୟବହାର କରି ମହାକାଶଚାରୀମାନେ ଚନ୍ଦ୍ରକୁ ବିସ୍ତୃତ ଅନୁଧ୍ୟାନ କରିବା ସାଙ୍ଗକୁ ମଙ୍ଗଳ ତଥା ଅନ୍ତରୀକ୍ଷର ଅନ୍ୟ ଗଭୀରତମ ଇଲାକାକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେବେ। ସୁତରାଂ ନାସାର ଆରଟେମିସ ଅଭିଯାନ ଦ୍ୱାରା ରୂପେଲି ଜହ୍ନ ରାଇଜର ଅନେକ ରହସ୍ୟ ରୋମାଞ୍ଚଭରା ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଆଶା କରାଯାଏ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri