ତିରିମଲ ଗ୍ରାମରେ ବାଣ ବିସ୍ଫୋରଣ

ଜଟଣୀ,୧୨ା୧୦(ରବୀନ୍ଦ୍ରନାଥ ମହାକୁଡ଼)ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ତିରିମଲ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଣ ବିସ୍ପୋରଣ ଘଟିଛି। ଏଥିରେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବାବେଳେ ବାଣ ପ୍ରସ୍ତୁତକାରୀଙ୍କ ଘରଛାତ ଉଡ଼ିଯିବା ସହ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ପୋରଣ ଯୋଗୁ ଭୀଷଣ ଶବ୍ଦ ସୃଷ୍ଟି ହେବା ସହିତ କେତେଜଣ ପଡ଼ୋଶୀ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ତିରିମଲ ଗ୍ରାମର ପାତ୍ର ସାହିରେ ଥିବା ତ୍ରିନାଥ ପାତ୍ରଙ୍କ ଘରେ କୌଣସି କାରଣରୁ ବାଣ ବିସ୍ପୋରଣ ଘଟିଥିଲା। ତ୍ରିନାଥ ବାଣ ତିଆରି କରିବା ସହ ବିକ୍ରି କରିଥାନ୍ତି। ପରିବାର ପ୍ରତିପୋଷଣ ପାଇଁ ସେ ବାଣ ବ୍ୟବସାୟ ଉପରେ ନିର୍ଭରଶୀଳ। ଘରେ ବାଣ ଗଛିତ ଥିବାବେଳେ କୌଣସି କାରଣରୁ ବିସ୍ପୋରଣ ଘଟିଥିଲା। ଏହି ଘଟଣାରେ ତ୍ରିନାଥଙ୍କ ଦୁଇ ବଖରା ସହିତ ପଡ଼ୋଶୀ ମାଗୁଣି ପାତ୍ରଙ୍କ ଦୁଇ ବଖରା ଘରର ଛାତ ଉଡ଼ିଯାଇଥିଲା। ମାଗୁଣିଙ୍କ ସ୍ତ୍ରୀ ବାଣ ବିସ୍ପୋରଣରେ ଆହତ ହୋଇଥିଲେ। ଘଟଣାସ୍ଥଳରେ ଏକ ବାଛୁରୀର ମୃତ୍ୟୁ ହୋଇଥିଲା। ଆହତଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରଥମେ ଭୁବନେଶ୍ୱର ଏମ୍ସ ଏବଂ ପରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତ୍ରିନାଥଙ୍କ ସାନପୁଅ ମୁନା ପାତ୍ର ଏବ ତାଙ୍କ ସ୍ତ୍ରୀ ସ୍ମୃତିରେଖା ପାତ୍ର ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ଜଣାପଡିଛି। ବିସ୍ପୋରଣରେ ସ୍ମୃତିରେଖା ପୋଡ଼ିିଯାଇଥିବା ବେଳେ ସେ  ୭ ମାସର ଗର୍ଭବତୀ ରହିଥିବା ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି। ଖବର ଲେଖା ହେଲା ପର୍ଯ୍ୟନ୍ତ ପୀଡିତଙ୍କ ପକ୍ଷରୁ କେହି ଜଟଣୀ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି। ତେବେ ଆଲୋକର ପର୍ବ ଦୀପାବଳି ପୂର୍ବରୁ ଏଭଳି ଅଘଟଣକୁ ନେଇ ଜଟଣୀ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆସନ୍ତା ଦୀପାବଳିକୁ ନଜରରେ ରଖି ଜଟଣୀରେ କୋଟି କୋଟି ଟଙ୍କାର ବାଣ ଆସି ବିଭିନ୍ନ ସ୍ଥାନରେ ଗଛିତ କରିଲେଣି। ଜଟଣୀ ସହର ଓ ଏହାର ପାଖଆଖରେ ବେପାର କରୁଥିବା ସିଜିନାଲ ବ୍ୟବସାୟୀମାନେ ବାଣ ଗଛିତ ରଖିବା ଓ ବିକ୍ରି କରିବା ପାଇଁ ବୈଧ ଲାଇସେନ୍ସ ପାଇଥିବା ଏବଂ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ସଜାଗ ରହିଛନ୍ତିକି ନାହିଁ ସେ ନେଇ ଅନେକ ପ୍ରଶ୍ନ ଉଠିଛି।