ଲାଲଗଡରେ ପହଞ୍ଚିଲେ ଡିଜି ଅଭୟ

ଚିତ୍ରକୋଣ୍ଡା,୧୪।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଥିବା ଲାଲଗଡ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପରେ ସୋମବାର ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଡିଜି ଅଭୟ। ମାଓ ଦମନ ତଥା ଉକ୍ତ ଅଞ୍ଚଳକୁ ମାଓ କବଳରୁ ମୁକ୍ତ କରିବାକୁ ବିମାନ ଯୋଗେ ଡିଜି ଅଭୟ ସେଠାରେ ପହଞ୍ଚିଥିଲେ। ତାଙ୍କ ସହିତ ଆଇଜି ଅମିତାଭ ଠାକୁର, ଡାଇରେକ୍ଟ ଇଣ୍ଟିଲଜେନସ ଆରକେ ଶର୍ମା, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ ଓ ଏସପି ଋଷିକେଷ ଡି. ଖିଲାରି ପହଞ୍ଚି ମାଓଗଡ଼ ସ୍ଥିତି ସମୀକ୍ଷା କରିଥିଲେ। ସମୀକ୍ଷା ପରେ ଡିଜି କହିଥିଲେ, ନକ୍ସଲମାନେ ଏବେ ପଛରେ ପଡିଯାଇଛନ୍ତି କାରଣ ଜନସାଧାରଣ ତାଙ୍କୁ ଆଉ ସହଯୋଗ କରୁନାହାନ୍ତି। ଜନସାଧାରଣ ନକ୍ସଲଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି। ଫଳରେ ମାଓବାଦୀମାନେ ବାଟ ନପାଇ ଆମ ଯବାନ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ଯବାନମାନେ ମଧ୍ୟ କଡା ଜବାବ ଦେଉଛନ୍ତି ବୋଲି ସେ କହିଛନ୍ତି। ମାଓବାଦୀମାନେ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜି ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ସୁରକ୍ଷା ଦେବା ଏବଂ ଉକ୍ତ ଅଞ୍ଚଳରେ ଉନ୍ନୟନମୂଳକ କାମକୁ ଆଗେଇ ନିଆଯାଇ ଜିଳାକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ପୋଲିସ କାର୍ଯ୍ୟ କରୁଥିବା ସେ କହିଛନ୍ତି।