ସଶସ୍ତ୍ର ଡକାୟତି: ଶିଶୁ ବେକରୁ ଲକେଟ୍ କାଟିବା ସହ ନଗଦ ୫୦ ହଜାର ଓ ସୁନାଗହଣା ଲୁଟ୍

ସୋର (ଅଞ୍ଜନ କୁମାର ଦାସ): ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ବାଳଙ୍ଗ ଗ୍ରାମରେ ବିଳମ୍ବିତ ରାତିରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି। ୮ ବର୍ଷର ଶିଶୁପୁତ୍ର ବେକରେ ବନ୍ଧୁକ ଲଗାଇ ଭୟଭୀତ କରିବା ସହ ଲୁହା ଶାବଳରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବାଳଙ୍ଗ ଗ୍ରାମର ସୁଶୀଲ କୁମାର ପଲେଇଙ୍କ ପତ୍ନୀ ସଙ୍ଗୀତା ପଲେଇ ସୋମବାର ରାତିରେ ନିଜ ବାପା ଶ୍ୟାମସୁନ୍ଦର ବିଶ୍ୱାଳ ଓ ୮ ବର୍ଷର ପୁଅ ସହ ଘରେ ଥିଲେ। ଏହି ସମୟରେ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଘର ଭିତରକୁ ପଶି ଆସିଥିଲେ। ସେମାନେ ସଙ୍ଗୀତାଙ୍କୁ ମାଡ଼ ମାରିବା ସହ ତାଙ୍କ ହାତ ବାନ୍ଧି ଦେଇଥିଲେ। ପରେ ତାଙ୍କ ବାପା ଶ୍ୟାମସୁନ୍ଦରଙ୍କୁ ଲୁହା ଶାବଳରେ ଆକ୍ରମଣ କରିବା ସହ ତାଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ।

ଏପରିକି ୮ ବର୍ଷର ନିରୀହ ଶିଶୁପୁତ୍ର ବେକରେ ବନ୍ଧୁକ ଲଗାଇ ତାକୁ ଭୟଭୀତ କରିବା ସହ ବେକରୁ ସୁନା ଲକେଟ୍ କାଟି ନେଇଥିଲେ। ଦୁର୍ବୃତ୍ତମାନେ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା, ନଗଦ ୫୦ ହଜାର ଟଙ୍କା, ସ୍ମାର୍ଟଫୋନ୍, ଏଟିଏମ୍ କାର୍ଡ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ଅନନ୍ତପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତମାନଙ୍କ ସନ୍ଧାନରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Dharitri – Odisha’s No.1 Odia Daily

Share