Categories: ଜାତୀୟ

ବ୍ୟଭିଚାର କ୍ଷେତ୍ରରେ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ସଶସ୍ତ୍ର ବାହିନୀ…

ନୂଆଦିଲ୍ଲୀ,୩୧।୧ : ବ୍ୟଭିଚାର ଉପରେ ସୁପ୍ରିମକୋର୍ଟ ନିଜର ୨୦୧୮ର ରାୟ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବ୍ୟଭିଚାର ପାଇଁ ସଶସ୍ତ୍ର ବାହିନୀ ସେମାନଙ୍କ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ବିଚାରପତି କେଏମ ଜୋଶେଫ, ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ, ହୃଷୀକେଶ ରାୟ ଏବଂ ସିଟି ରବିକୁମାରଙ୍କ ନେତୃଥ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏଭଳି କହିଛନ୍ତି।

୨୦୧୮ରେ, ଜୋଶେଫ ଶାଇନ ଧାରା ୩୨ ଅନୁଯାୟୀ ଏକ ରିଟ ପିଟିଶନ ଦାଖଲ କରିଥିଲେ ଯାହାକି ସିଆରପିସିର ଧାରା ୧୯୮ ସହିତ ଆଇପିସିର ଧାରା ୪୯୭ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଧାରା ୧୪,୧୫ ଏବଂ ୨୧କୁ ଉଲ୍ଲଂଘନ କରାଯାଇଛି। ବ୍ୟଭିଚାର ବିରୋଧରେ ଏହା ସର୍ବପ୍ରଥମ ଜନସ୍ବାର୍ଥ ମାମଲା।

ଲିଙ୍ଗ ଆଧାରରେ ବ୍ୟଭିଚାର ବ୍ୟବସ୍ଥାକୁ ଅନୈତିକ ଏବଂ ଭେଦଭାବପୂର୍ଣ୍ଣ ବୋଲି ଆବେଦନକାରୀ ଦାବି କରିଥିଲେ। ଶୁଣାଣି ପରେ ସୁପ୍ରିମକୋର୍ଟ ବ୍ୟଭିଚାରକୁ ଅପରାଧ ବୋଲି ବିଚାର କରିବା ଅଣସାମ୍ବିଧାନିକ ବୋଲି କହିଥିଲେ। ତେବେ, ବ୍ୟଭିଚାର ଭାରତରେ ହିନ୍ଦୁ ବିବାହ ଅଧିନିୟମ ୧୯୫୬ର ଧାରା ୧୩ (୧) ଅନୁଯାୟୀ ଛାଡପତ୍ର ପାଇଁ ଏକ କାରଣ ବୋଲି କହିଥିଲେ।

ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ ଯେ ବ୍ୟଭିଚାର ଅଭିଯୋଗରେ ଏହାର ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଶସ୍ତ୍ର ବାହିନୀର ଏକ ପ୍ରକାର ପ୍ରଣାଳୀ ରହିବା ଉଚିତ, କାରଣ ଏହା ଏକ ଆଚରଣ ଯାହା ଅଧିକାରୀଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇପାରେ।

ବ୍ୟଭିଚାର ପରିବାରକୁ କଷ୍ଟ ଦେଇଥାଏ ଏବଂ ଏହାକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। ସାମରିକ ସେବାରେ ଅନୁଶାସନ ସର୍ବାଧିକ। ସମସ୍ତେ ଶେଷରେ ସମାଜର ଏକକ ଭାବରେ ପରିବାର ଉପରେ ନିର୍ଭରଶୀଳ । ସମାଜର ଅଖଣ୍ଡତା ସ୍ବାମୀ କିମ୍ବା ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତତା ଉପରେ ଆଧାରିତ ହୋଇଥାଏ ବୋଲି ଶୀର୍ଷକୋର୍ଟ କହିଥିଲେ।

Share