Categories: ଖେଳ

ଦୀପ୍‌ଗ୍ରେସ୍‌ଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, ୧୫।୧୧ୟ(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ହକି ତାରକା ଦୀପ୍‌ଗ୍ରେସ୍‌ ଏକ୍କା ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସମ୍ପ୍ରତି ଭାରତୀୟ ଦଳର ଉପଅଧିନାୟିକା ଦାୟିତ୍ୱ ତୁଲାଉଥିବା ଦୀପ୍‌ଗ୍ରେସ୍‌ ଓଡ଼ିଶାର ଦ୍ୱାଦଶ ଖେଳାଳି ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇବେ। ଚଳିତ ମାସ ୩୦ ତାରିଖରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ।
ସୁନ୍ଦରଗଡ଼ ଜିଲା ଲୁଲକିଡିହିରେ ୧୯୯୪ ଜୁନ୍‌ ୩ରେ ଜନ୍ମିତା ଦୀପ୍‌ଗ୍ରେସ୍‌ ୨୦୧୧ରୁ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ୨୪୦ରୁ ଊର୍ଦ୍ଧ୍ୱ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଛନ୍ତି। ସେ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ରୌପ୍ୟ ଏବଂ ୨୦୧୪ ଇଞ୍ଚତ୍ଅନରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ସଦସ୍ୟା ଥିଲେ। ୨୦୨୨ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତ ପକ୍ଷରୁ ମଧ୍ୟ ସେ ଖେଳିଥିଲେ। ଏହା ବ୍ୟତୀତ ୨୦୧୭ (ଗିଫୁ) ଏସିଆ କପ୍‌ରେ ସ୍ବର୍ଣ୍ଣ ଏବଂ ୨୦୧୩ (କୁଆଲାଲମ୍ପୁର) ଓ ୨୦୨୨ (ମସ୍କଟ)ରେ ବ୍ରୋଞ୍ଜ ପଦକ ବିଜୟିନୀ ହେବାର ସୌଭାଗ୍ୟ ମଧ୍ୟ ସେ ପାଇଥିଲେ। ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ସେ ୨୦୧୬ (ସିଙ୍ଗାପୁର)ରେ ସ୍ବର୍ଣ୍ଣ, ୨୦୧୩ (କାକାମିଗାହାରା) ଓ ୨୦୧୮ (ଡୋଙ୍ଘାଇ)ରେ ରୌପ୍ୟ ଏବଂ ୨୦୧୩ ମନଚେନ୍‌ଗ୍ଲାଡବ୍ୟାକ୍‌ ଜୁନିୟର ବିଶ୍ୱକପ୍‌ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।
ପୂର୍ବରୁ ପ୍ରମୋଦଙ୍କ ସମେତ ଓଡ଼ିଶାର ୧୧ ଜଣ କ୍ରୀଡ଼ାବିତ୍‌ ଅର୍ଜୁନ ପୁରସ୍କାର ପାଇଥିଲେ। ୧୯୮୦ରେ ସାଇକ୍ଲିଷ୍ଟ ମିନତି ମହାପାତ୍ର ପ୍ରଥମ ଓଡ଼ିଆ ଭାବେ ପାଇଥିଲେ ଅର୍ଜୁନ ସମ୍ମାନ। ପରେ ୧୯୮୨ରେ ଭାରୋତ୍ତୋଳକ ବିଜୟ କୁମାର ଶତପଥୀ, ୧୯୯୮ରେ ଆଥ୍‌ଲେଟ ରଚିତା ମିସ୍ତ୍ରି (ପଣ୍ଡା), ୨୦୦୨ରେ ପୂର୍ବତନ ଭାରତୀୟ ହକି ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, ୨୦୦୭ରେ ପୂର୍ବତନ ଭାରତୀୟ ମହିଳା ହକି ଅଧିନାୟିକା ଜ୍ୟୋତି ସୁନୀତା କୁଲୁ, ୨୦୦୯ରେ ପୂର୍ବତନ ଭାରତୀୟ ହକି ଅଧିନାୟକ ପଦ୍ମଶ୍ରୀ ଇଗ୍ନେଶ ତିର୍କୀ, ୨୦୧୦ରେ ଭାରୋତ୍ତୋଳକ କେ. ରବିକୁମାର ଏବଂ ୨୦୧୯ରେ ଓଡ଼ିଶାର ପ୍ରଥମ ପାରା ଆଥ୍‌ଲେଟ ଭାବେ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଥିଲେ। ୨୦୨୦ରେ ଅର୍ଜୁନ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। ସେହିପରି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳର ସଦସ୍ୟ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅର୍ଜୁନ ପୁରସ୍କାର ପାଇଁ ଯୋଗ୍ୟ ହୋଇଥିଲେ। ତେଣୁ ଓଡ଼ିଶାର ଦ୍ୱାଦଶ ଖେଳାଳି ହିସାବରେ ଦୀପ୍‌ଗ୍ରେସ୍‌ ଅର୍ଜୁନ ପୁରସ୍କାର ପାଇବାକୁ ଯାଉଛନ୍ତି।

Share