୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ନବରଙ୍ଗପୁର,୬।୧(ବି.ପ୍ର.): ନବରଙ୍ଗପୁର ବ୍ଲକ ଅଧୀନ ସାନମସିଗାଁ ଏଆର୍‌ଆଇ (ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର) ଜଗଦୀଶ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ଜଗଦୀଶଙ୍କ ଘର ନବରଙ୍ଗପୁର ବ୍ଲକ ବିକ୍ରମପୁର ଗାଁରେ ବୋଲି ସୂଚନା ମିଳିଛି। ଏପରିକି ଭିଜିଲାନ୍ସ ଟିମ୍‌ ଅଫିସ କାର୍ଯ୍ୟାଳୟ ସମେତ ଏଆର୍‌ଆଇଙ୍କ ବାସଭବନରେ ଚଢ଼ାଉ କରି ତଦନ୍ତ ଜାରି ରଖିଛି।
ସାନମସିଗାଁର ବୈଜନ୍ତୀ ଭତରା ତାଙ୍କ ମା’ କମଳା ଭତରାଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଅନ୍‌ଲାଇନରେ ନବରଙ୍ଗପୁର ତହସିଲରେ ଆବେଦନ କରିଥିଲେ। ଏହାର ତଦନ୍ତ ପାଇଁ ସାନମସିଗାଁ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ପଠାଯାଇଥିଲା । ଏଆର୍‌ଆଇ ବେହେରା ଆରଆଇ ଦାୟିତ୍ୱରେ ଥିବାରୁ ତଦନ୍ତ ପାଇଁ ବୈଜନ୍ତୀଙ୍କଠାରୁ ୫ ହଜାର ଟଙ୍କା ଓ ୨ କିଲୋ ଓଜନର ଦେଶୀ କୁକୁଡ଼ା ଦାବି କରିଥିଲେ। ଏପରିକି ଲାଞ୍ଚ ନ ଦେଲେ କାମ କରିବେ ନାହିଁ ବୋଲି ବୈଜନ୍ତୀଙ୍କୁ କହିବା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଏନେଇ ବୈଜନ୍ତୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର ବୈଜନ୍ତୀ ଘରକୁ ଟଙ୍କା ନେବାପାଇଁ ଜଗଦୀଶଙ୍କୁ ଡାକିଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଭାରପ୍ରାପ୍ତ ଡିଏସପି କଳାବତୀ ବାଗ, ଇନ୍ସପେକ୍ଟର ଭୀମସେନ ପୂଜାରୀ, କନଷ୍ଟେବଲ ଅଜିତ ପତି, ଦିବ୍ୟନନ୍ଦ ବେହେରା ଓ ଷ୍ଟେନୋ ସୂର୍ଯ୍ୟପ୍ରକାଶ ରାଓ ଘର ପାଖରେ ଛକି ରହିଥିଲେ। ବୈଜନ୍ତୀ ଟଙ୍କା ଦେବାବେଳେ ଡିଏସପି ବାଗ ଏଆର୍‌ଆଇ ବେହେରାଙ୍କୁ କାବୁ କରିବା ସମୟରେ ଦୌଡ଼ି ପଳାଉଥିଲେ। ହେଲେ ଭିଜିଲାନ୍ସ ଟିମ୍‌ ଘେରିଯାଇ ତାଙ୍କୁ କାବୁକରି ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀ ଏଆରଆଇଙ୍କୁ ଗିରଫ କରି ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା କରୁଛନ୍ତି। ଏନେଇ ଭିଜିଲାନ୍ସ ଏକ ମାମଲା(ନଂ.୧/୨୩) ରୁଜୁ କରିଛି।