ବାର୍ଥଡେ ପାର୍ଟିରେ ଦୁଇଗୋଷ୍ଠୀ ମଧ୍ୟରେ ବଚସା: ଫୁଟିଲା ଗୁଳି

ଝାରସୁଗୁଡ଼ା ଅଫିସ,୫।୧୨: ଝାରସୁଗଡ଼ା ସହରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ କଥା କଥାରେ ଗୁଳି ଫୁଟୁଛି। ଫଳରେ ସାଧାରଣ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି। ଏଭଳି ସ୍ଥିତିରେ ରବିବାର ରାତିରେ କଳିଙ୍ଗବାରରେ ଏକ ବାର୍ଥଡେ ପାର୍ଟି ଚାଲିଥିବା ବେଳେ କୌଣସି କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀ ଉତ୍‌କ୍ଷୀପ୍ତ ହୋଇ ଅନ୍ୟ ଏକ ଗୋଷ୍ଠୀ ଉପରକୁ ୫ରୁ ୭ ରାଉଣ୍ଡ ଗୁଳି ଫୁଟାଇଥିଲେ। ଫଳରେ ବାର୍ଥଡେ ପାର୍ଟିରେ ଥିବା ଲୋକେ ଭୟଭିତ ହୋଇପଡିଥିଲେ। ହେଲେ ଗୁଳିକାଣ୍ଡରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି।

ଖବରପାଇ ଏସ୍‌ଡିପିଓ ର୍ନିମଳ ମହାପାତ୍ର ସଦଳବଳେ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଫୁଟାଗୁଳିର ଖୋକା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିକାଣ୍ଡ ଘଟାଇବା ପରେ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି। ଏନେଇ ପୁରୁଣାବସ୍ତିର ଛୋଟୁ ସିନ୍ଦିରିଆଙ୍କ ଅଭିଯୋଗକୁ ଭିତିକରି ପୋଲିସ ଟାଉନ ଥାନା ଓ ସଦର ଥାନାରେ ବେହେରାମାଲର ଦୀପକ ସାହୁ ଏବଂ ତାଙ୍କ ପୁଅ ଅର୍ଜୁନ ସାହୁଙ୍କ ନାମରେ ପୃଥକ ୨ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିନାହିଁ। ସୂଚନାଯୋଗ୍ୟ, ଛୋଟୁ ଏବଂ ଅର୍ଜୁନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗତ ରବିବାର ରାତିରେ ବସ୍‌ଷ୍ଟାଣ୍ଡ ନିକଟରେ ବଚସା ହୋଇଥିଲା। ପରେ ସେହି ରାତିରେ କଳିଙ୍ଗାବାର ହୋଟେଲରେ ଏକ ବାର୍ଥଡେ ପାର୍ଟି ଚାଲିଥିଲା। ଉଭୟ ସେଠାକୁ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ଅର୍ଜୁନଙ୍କ ବାପା ଦୀପକ ଛୋଟୁଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ ଛୋଟୁଙ୍କ କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି।