Categories: ଖେଳ

ହୃଦ୍‌ଘାତରେ ମାରାଡୋନାଙ୍କ ପରଲୋକ

ବୁଏନ୍ସ ଆୟାର୍ସ, ୨୬।୧୧: ଏକ ଦୁଃଖଦ ଘଟଣା କ୍ରମରେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ମାତ୍ର ୬୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବୁଧବାର ହୃଦ୍‌ଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଛି। ପୂର୍ବରୁ ବୁଏନ୍ସ ଆୟାର୍ସରେ ଗତ ନଭେମ୍ବରରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଓ ଏହା ସଫଳ ହୋଇଥିଲା। ଫଳରେ ତାଙ୍କୁ ଘରକୁ ଯିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଥିଲେ। ଜଣେ ସର୍ବକାଳୀନ ଶ୍ରେଷ୍ଠ ଫୁଟବଲର ରୂପେ ପରିଗଣିତ ହେଉଥିବା ମାରାଡୋନାଙ୍କ ଦେହାନ୍ତରେ ସାରା ବିଶ୍ୱ କ୍ରୀଡ଼ାଜଗତରେ ଶୋକର ଛାୟା ଖେଳିଯାଇଛି। ମାରାଡୋନାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ମେକ୍ସିକୋରେ ଅନୁଷ୍ଠିତ ୧୯୮୬ ଫିଫା ବିଶ୍ୱକପ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଏକାଧିକ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ବିଶ୍ୱ ଫୁଟବଲ ପ୍ରେମୀଙ୍କ ନିକଟରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ।
ଜଣେ ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଭାବେ ପ୍ରସିଦ୍ଧି ଲାଭ କରିଥିବା ମାରାଡୋନା ଫୁଟବଲରୁ ଅବସର ନେବା ପରେ କୋଚିଂରେ ମନବଳାଇଥିଲେ। ୧୯୯୭ରେ ଅବସର ନେବା ପରେ ସେ ଆର୍ଜେଣ୍ଟିନା ଦଳର କୋଚ୍‌ ରୂପେ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଏକାଧିକ ଶୀର୍ଷସ୍ତରୀୟ କ୍ଲବର ମ୍ୟାନେଜର ରୂପେ କାର୍ଯ୍ୟ କରିଛନ୍ତି। ସେ ଜଣାଶୁଣା ଫୁଟବଲ କ୍ଲବ ବାର୍ସିଲୋନା ଓ ନାପୋଲି ପାଇଁ ଖେଳି ବେଶ୍‌ ସଫଳତା ହାସଲ କରିଥିଲେ। ୧୯୮୭ ଓ ୧୯୯୦ରେ ସେ ଦୁଇଟି ସିରି ଏ’ ଟାଇଟଲ ଜିତିଥିଲେ। ସେ ମଧ୍ୟ ୧୯୮୭ରେ ଇଟାଲିଆନ କପ୍‌ ଓ ୧୯୯୧ରେ ୟୁଇଏଫ୍‌ଏ କପ୍‌ ହାସଲ କରିଥିଲେ। ରୁଷିଆରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ରେ ସେ ଅସୁସ୍ଥ ହୋଇ ପଡିଥିଲେ। ଏକାଧିକ ବିବାଦ ପାଇଁ ଚର୍ଚ୍ଚିତ ରହିଆସିଥିବା ମାରାଡୋନା ନିଜର ନିଆରା ଜୀବନଶୈଳୀ ପାଇଁ ବେଶ୍‌ ଚର୍ଚ୍ଚିତ ଥିଲେ। କୋକେନ ସେବନ କାରଣରୁ ୨୦୦୦ରେ ସେ ସାଂଘାତିକ ଭାବେ ସ୍ବାସ୍ଥ୍ୟ ସଙ୍କଟରେ ପଡିଥିଲେ। ବେଶ୍‌ ଦୀର୍ଘ କେତେବର୍ଷ ଧରି ସେ ରିହାବିଲିଟେଶନରେ ମଧ୍ୟ ରହିଥିଲେ।

Share