ଗୁମର ଖୋଲିବାକୁ କହୁଥିବା ଅର୍ଚ୍ଚନାଙ୍କ ପାଟି ଚୁପ୍‌

ଭୁବନେଶ୍ୱର, ୧୧।୧୨ (ବ୍ୟୁରୋ): ‘ମୋତେ ଫସାଇ ଦିଆଯାଇଛି। ପାଟି, ଆଖି, କାନ ବନ୍ଦ କରି ରଖାଯାଇଛି। ମୁଁ ମୁହଁ ଖୋଲିଲେ ରାଜ୍ୟ ଦୋହଲିଯିବ। ଇଡିକୁ ଅପେକ୍ଷା କରିଥିଲି, ଏବେ ମୁହଁ ଖୋଲିବାକୁ ସୁଯୋଗ ମିଳିବ। ମୋତେ ୩୦ ମିନିଟ୍‌ ଦିଆଯାଉ। ନେତା, ମନ୍ତ୍ରୀ ଆଉ କିଏ ସବୁ ସମ୍ପୃକ୍ତ ଅଛନ୍ତି ସବୁ ପ୍ରମାଣ ଦେଖାଇଦେବି।’ ହନିଟ୍ରାପ୍‌ ମାଧ୍ୟମରେ ବ୍ଲାକ୍‌ମେଲିଂ କରି ବିପୁଳ ସମ୍ପତ୍ତିର ମାଲିକାଣୀ ହୋଇଥିବା ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗତ ୬ ତାରିଖରେ ରିମାଣ୍ଡରେ ଆସିବାବେଳେ ଏଭଳି କିଛି ବିସ୍ଫୋରକ ବୟାନ ଦେଇଥିଲେ। ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ତାଙ୍କ କଳାସାମ୍ରାଜ୍ୟରେ ସମ୍ପୃକ୍ତ ଥିବା ବଡ଼ବଡ଼ିଆଙ୍କ ଗୁମର ଶୁଣିବାକୁ ସମସ୍ତେ ଚାହିଁ ବସିଥିଲେ। ହେଲେ ସେ ପାଟି ଖୋଲୁ ନ ଥିବା ଓ ତଦନ୍ତରେ ସହଯୋଗ କରୁ ନ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୂଚନା ଦେବା ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇତିମଧ୍ୟରେ ୭ ଦିନିଆ ରିମାଣ୍ଡର ୫ଦିନ ବିତିଯାଇଥିବାବେଳେ ଇଡି ହାତରେ ଆଉ ମାତ୍ର ୨ଦିନ ରହିଛି। ଜେଲରେ ଥିବା ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ର ଏବଂ ହନିଟ୍ରାପ୍‌ରେ ମୋହରା ସାଜୁଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମୁହାଁମୁହିଁ ଜେରା କରି ବଡ଼ ଗୁମର ଖୋଲିବାକୁ କହୁଥିବା ଇଡି ମଧ୍ୟ ହାତ ଟେକିଦେଲେଣି। ଚାପ ନା ଆଉକିଛି? ଅର୍ଚ୍ଚନାଙ୍କ ଦୋମୁହାଁ ଆଚରଣରେ ଖୋଦ୍‌ ଇଡି ଅଧିକାରୀମାନେ ମଧ୍ୟ ଚକିତ ହୋଇପଡ଼ିଛନ୍ତି। ଅର୍ଚ୍ଚନାଙ୍କ ସମ୍ପତ୍ତି, ଟଙ୍କା ଓ ଅୟସ ଜୀବନଶୈଳୀ ପଛରେ କ’ଣ ରହସ୍ୟ ରହିଛି ତାହା ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏ ଉତ୍ତର ପାଇପାରୁ ନାହାନ୍ତି। ସେହିପରି ପ୍ରଯୋଜକ ଅକ୍ଷୟ ପରିଜା, ଭଡ଼ାଘର ମାଲିକ ପ୍ରମୋଦ ସ୍ବାଇଁ ଓ ଶ୍ରଦ୍ଧାଞ୍ଜଳିଙ୍କ ବୟାନ ଆଧାରିତ ପ୍ରଶ୍ନର ଉତ୍ତର ଦେବାକୁ ସେ ରାଜି ହେଉନାହାନ୍ତି। ଫଳରେ ପୂର୍ବରୁ ଯେଉଁମାନେ ଜେରାର ସମ୍ମୁଖୀନ ହୋଇଥିଲେ ସେମାନଙ୍କ ବୟାନର ସତ୍ୟତା ମିଳିପାରୁ ନାହିଁ। ଏପଟେ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ୧୨ ତାରିଖରେ ସରୁଥିବାରୁ ତାଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ ଇଡି ଯୋଜନା ଆରମ୍ଭ କରିଛି। ସେହିପରି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ୧୩ ତାରିଖରେ କୋର୍ଟରେ ହାଜର ହେବେ। ତାଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଇଡି କୋର୍ଟଙ୍କୁ ନିବେଦନ କରିବ ବୋଲି କୁହାଯାଉଛି। ଏହାପରେ ଉଭୟଙ୍କୁ ମୁହାଁମୁହିଁ ଜେରା କରି କିଛି ନୂଆ ତଥ୍ୟ ପାଇବାକୁ ଇଡି ଅଧିକାରୀମାନେ ଶେଷ ଆଶା ରଖିଛନ୍ତି।

ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବା ପରେ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ମୁହାଁମୁହିଁ ଜେରା କରିବାକୁ ଯୋଜନା କରିଥିଲା ଇଡି। ହେଲେ ଏସବୁର ଏବେ ଫସର ଫାଟିଯାଇଛି। ବାରମ୍ବାର ନୋଟିସ ସତ୍ତ୍ୱେ କାର୍ଯ୍ୟାଳୟକୁ ଶ୍ରଦ୍ଧାଞ୍ଜଳି ଆସୁନାହାନ୍ତି। ଇଡିର କହିବା ଅନୁସାରେ, ଶ୍ରଦ୍ଧାଞ୍ଜଳି ହିଁ କହିପାରିବେ ଅର୍ଚ୍ଚନା ନାଗ ଫାଶର ଅସଲ କଥା। ତେବେ ଇଡି ପାଇଁ ଏବେ ଜରୁରୀ ହୋଇପଡ଼ିଛି ଶ୍ରଦ୍ଧାଞ୍ଜଳିଙ୍କ ପାଖରେ ପହଞ୍ଚତ୍ବା। ଇଡି ନଜରରେ ସେ ଏବେ ଫେରାର। ତାଙ୍କୁ ଖୋଜାଚାଲିଥିବା ସୂଚନା ମିଳିଛି।