୩୦ କୋଟିର ହିସାବ ଦେବେ ଅର୍ଚ୍ଚନା-ଜଗବନ୍ଧୁ

ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବେ ଝାରପଡ଼ା ଜେଲରେ ଥିବା ବେଳେ ଏହି ମାମଲାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଅର୍ଚ୍ଚନା ଓ ଜଗବନ୍ଧୁ ଗତ ୫ ବର୍ଷ ମଧ୍ୟରେ ୩୦ କୋଟି ଟଙ୍କା ରୋଜଗାର କରିଥିବା କୁହାଯାଉଛି। ତେବେ ଏହି ଆର୍ଥିକ କାରବାରର ଉତ୍ସ ସମ୍ପର୍କରେ ଜାଣିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି। ଇଡି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମିଶନରେଟ ପୋଲିସଠାରୁ ଅର୍ଚ୍ଚନା ମାମଲା ସମ୍ପର୍କିତ ସମସ୍ତ ଅଭିଯୋଗର ଏତଲା କପି ନେଇଛି ଇଡି। ଏଥିସହ ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ବ୍ୟାଙ୍କ ସମ୍ପର୍କିତ ଆର୍ଥିକ ନେଣଦେଣ ତଥ୍ୟ ପ୍ରଦାନ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)କୁ ଚିଠି ଲେଖାଯାଇଛି। ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଏ ଟଙ୍କା ପଠାଉଥିଲେ, କେତେ ଟଙ୍କା ଆକାଉଣ୍ଟକୁ ଆସିଥିଲା, ନଗଦ ଅର୍ଥର କାରବାର କିଭଳି କରାଯାଉଥିଲା ଏସବୁ ଉତ୍ସକୁ ଇଡି ଖୋଜିବା ଆରମ୍ଭ କରିଛି। ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବାରୁ ଜେଲରେ ଥିବା ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଖୁବ୍‌ଶୀଘ୍ର ଜେରା ହୋଇପାରନ୍ତି ବୋଲି ସୂଚନା ମିଳିଛି। ବହୁ ବଡ଼ବଡ଼ିଆ ବ୍ୟକ୍ତି ଅର୍ଚ୍ଚନାଙ୍କୁ ସାହାଯ୍ୟ କରୁଥିଲେ। ଏପରି କି ତାଙ୍କୁ ବହୁ ସମୟରେ ଆର୍ଥିକ ସହଯୋଗ କରୁଥିଲେ। ତେଣୁ ସେମାନେ ମଧ୍ୟ ଇଡି ଦ୍ୱାରା ଜେରା ହେବେ ବୋଲି ଜଣାପଡ଼ିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନାମରେ ଡରାଇବା, ବ୍ଲାକ୍‌ମେଲିଂ, ଦାଦାବଟି ଆଦାୟ ଆଦି ବିଭିନ୍ନ ଅଭିଯୋଗ ରହିଥିବାବେଳେ ପୋଲିସ ୧୬ଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅର୍ଚ୍ଚନାଙ୍କ କଳା କାରନାମାରେ ସମ୍ପୃକ୍ତି ନେଇ ଠୋସ୍‌ ପ୍ରମାଣ ମିଳିବା ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଛି। ତାଙ୍କର ଅନ୍ୟତମ ସହଯୋଗୀ ଖଗେଶ୍ୱର ପାତ୍ର ଏବେ କେଉଁଠି ଓ ତାଙ୍କୁ ପୋଲିସ କେବେ ଗିରଫ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅର୍ଚ୍ଚନା ଓ ଜଗବନ୍ଧୁ ଜେଲରେ ରହଣି କାଳ ମଧ୍ୟରେ ଜେଲ୍‌ ମାନୁଆଲ ଅନୁଯାୟୀ ସପ୍ତାହକୁ ଥରେ ପରସ୍ପରକୁ ଭେଟିପାରିବେ ବୋଲି ନିର୍ଦ୍ଦେଶ ରହିଛି। ଗତ ରବିବାର ଉଭୟ ୧୫ ମିନିଟ୍‌ କଥା ହୋଇ ପରସ୍ପରକୁ ସାନ୍ତ୍ୱନା ଦେଇଥିଲେ।