ନଗଦ ୩୩ ଲକ୍ଷ ଦେଇ କାର୍‌ କିଣିଥିଲେ ଅର୍ଚ୍ଚନା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗତ ୧୧ ତାରିଖରୁ ୧୦ ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଇତିମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାରେ ଲାଗିଛି। ଖଗେଶ୍ୱରଙ୍କ ରିମାଣ୍ଡ ଅବଧି ଆଉ ୨ଦିନ ବାକି ଥିବାବେଳେ ଇଡି ତାଙ୍କଠାରୁ ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟର ଆର୍ଥିକ କାରବାର ସହ ମାମଲା ସମ୍ପର୍କିତ ବହୁ ଗୁମର ହାସଲ କରିବାକୁ ଉଦ୍ୟମ ଚଳାଇଛି। ଏପରି ସ୍ଥିତିରେ ଏହି ରହସ୍ୟମୟୀଙ୍କ ଦାମୀ ଫୋର୍ଡ ଏନ୍‌ଡିଭର୍‌ କାର୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଉକ୍ତ କାର୍‌ କିଣିବାକୁ କେହି ରାଜନେତା ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିବା କୁହାଯାଉଛି। ଆଉଏକ ବଡ଼ କଥା ହେଲା ସେହି କାର୍‌ର ମଧ୍ୟ ପତ୍ତା ମିଳୁନାହିଁ। ଏହା ପଛରେ କିଛି ବଡ଼ ରହସ୍ୟ ଲୁଚି ରହିଥିବା ସନ୍ଦେହ କରି ଇଡି କାର୍‌ ସଂକ୍ରାନ୍ତରେ ଅଧିକ ଖୋଳତାଡ଼ କରୁଛି। ଅର୍ଚ୍ଚନା ଉକ୍ତ କାର୍‌କୁ ମଞ୍ଚେଶ୍ୱରସ୍ଥିତ କ୍ୟାପିଟାଲ ଫୋର୍ଡ ଶୋ’ରୁମ୍‌ରୁ କିଣିଥିବାରୁ ଇଡି ଅଧିକାରୀମାନେ ଶୁକ୍ରବାର ପୂର୍ବାହ୍ନରେ ପ୍ରାୟ ୧ ଘଣ୍ଟା ଧରି ଶୋ’ରୁମ୍‌ ମାଲିକଙ୍କ ପୁଅଙ୍କୁ ପଚରାଉଚରା କରିଛନ୍ତି। ଏଥିସହ କାର୍‌ କ୍ରୟ ସମ୍ବନ୍ଧିତ ସମସ୍ତ କାଗଜପତ୍ର ଇଡି ତାଙ୍କଠାରୁ ପାଇଛି। କାର୍‌ଟିକୁ ୨୦୨୦ରେ ଅର୍ଚ୍ଚନା ନଗଦ ୩୩ ଲକ୍ଷ ଟଙ୍କା ଦେଇ କିଣିଥିବା ସୂଚନା ମିଳିଛି। ତେବେ ଅର୍ଚ୍ଚନା କେଉଁଠୁ ଏତେ ଟଙ୍କା ଆଣିଲେ ତାହା ଜାଣିବାକୁ ଉତ୍କଣ୍ଠା ଲାଗି ରହିଥିବାବେଳେ ଏଥିରେ କେହି ରାଜନେତାଙ୍କ ଲିଙ୍କ୍‌ ଥିବା କୁହାଯାଉଥିବାରୁ ମାମଲା ଅଧିକ ରୋଚକ ହୋଇଛି। ସମ୍ପୃକ୍ତ ରାଜନେତା କିମ୍ବା ତାଙ୍କ ଇଙ୍ଗିତରେ ଅନ୍ୟକେହି କାର୍‌ଟିକୁ ଲୁଚାଇ ରଖିଥିବା ଇଡି ସନ୍ଦେହ କରି ତଦନ୍ତକୁ ଆଗକୁ ବଢ଼ାଇଛି। ଉକ୍ତ କାର୍‌ ଠାବ ହେଲେ ରାଜନେତାଙ୍କ ଗୁମର ପଦାକୁ ଆସିବ ବୋଲି ଇଡି ଆଶା ରଖିଛି। ସେପଟେ ଖଗେଶ୍ୱରଙ୍କ ରିମାଣ୍ଡ ଅବଧି ସରିବା ପରେ ଇଡି ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେଲରେ ଜେରା କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗଙ୍କୁ ଗତ ୧୩ ତାରିଖରେ ଇଡ଼ି ଭୁବନେଶ୍ୱର କାର୍ଯ୍ୟାଳୟରେ ଜେରା କରି ବହୁ ତଥ୍ୟ ହାସଲ କରିଛି।