ବ୍ରିଜ୍‌ ଦୁଇ ପାର୍ଶ୍ୱରେ ନିର୍ମାଣ ହୋଇନି ଆପ୍ରୋଚ ରାସ୍ତା

ବୈପାରିଗୁଡା,୨।୧୧ (ଡି.ଏନ୍‌.ଏ): ଗ୍ରାମାଞ୍ଚଳରେ ଯୋଗାଯୋଗ ପାଇଁ ସରକାରଙ୍କ ପକ୍ଷରୁ ବହୁ ଅର୍ଥ ଖର୍ଚ୍ଚ କରାଯାଇ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରାଯାଉଛି। ତେବେ ବିଭାଗୀୟ ଉଦାସୀନତା ତଥା ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁ ରାସ୍ତା କାମ ଠିକ୍‌ ମାନର ହେଉ ନ ଥିବା ଅଭିଯୋଗ ହେଉଛି ା ବୈପାରିଗୁଡା ବ୍ଲକ ଚିପାକୁର ପଞ୍ଚାୟତ ଅନ୍ତର୍ଗତ ଚିପାକୁର ଠାରୁ ଅମଳାଯୋଡି ରାସ୍ତା ଏହାର ଉଦାହରଣ।
୨୦୧୮ରେ ଚିପାକୁରଠାରୁ ଅମଳାଯୋଡି ପର୍ଯ୍ୟନ୍ତ ୩କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ରାସ୍ତା ନିର୍ମାଣ ଲାଗି ନିଷ୍ପତ୍ତି ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ଦାୟିତ୍ୱରେ ଥିଲା। ସୂଚନାଫଳକ ଅନୁସାରେ ଉକ୍ତ ରାସ୍ତା ୨୦୧୯ ଡିସେମ୍ବର ୧୯ରେ ଶେଷ ହୋଇଥିଲା। ଠିକାଦାରଙ୍କ ଦ୍ବାରା ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ୫
ବର୍ଷର ଅବଧି ରହିଛି ା ତେବେ ରାସ୍ତା ସଂପୂର୍ଣ୍ଣର ୨ ବର୍ଷ ପରେ ମଧ୍ୟ ରାସ୍ତାରେ ନିର୍ମିତ ଏକ ବ୍ରିଜ୍‌ର ୨ ପାର୍ଶ୍ୱରେ ଆପ୍ରୋଚିଂ ରାସ୍ତା ହୋଇନାହିଁ ା ଉଭୟ ପାର୍ଶ୍ୱରେ କେବଳ ମାଟି ପଡିଥିବାରୁ ଏହା ବର୍ଷା ପାଣିରେ ତାହା ଧୋଇ ହୋଇ ଜମି ହୁଡା ଭଳି ଦେଖାଯାଉଛି। ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ଉଭୟ ପାର୍ଶ୍ୱରେ ୧୦ ଫୁଟ ଓସାର ଓ ୧୨ ଫୁଟ ଗଭୀରର ଖାଲ ସୃଷ୍ଟି ହୋଇଛି ା ପୋଲ ଦେଇ ବାଇକ୍‌ରେ ଯାତାୟାତ ବେଳେ ଲୋକେ ସମସ୍ୟାରେ ପଡୁଛନ୍ତି। ଅନେକ ସମୟରେ ବାଇକ୍‌ ଆରୋହୀମାନେ ପଡି ଗୋଡ ହାତ ଭାଙ୍ଗିବା ନଜିର ରହିଛି। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେଶବ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାହା ତିଆରି କରିବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହିଥିଲେ।