ମହାକାଳପଡ଼ା,୧୬।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀସ୍ଥିତ ପ୍ରେମଚାନ୍ଦ ବିଦ୍ୟାପୀଠର ପ୍ରାକ୍ତନ ଛାତ୍ର ତଥା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପଞ୍ଚଶାଖା ଶିକ୍ଷା ସେତୁ କମିଟି ପକ୍ଷରୁ ସୋମବାର ଅପରାହ୍ନରେ ବିଦ୍ୟାପୀଠ ପରିସରରେ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା। କମିଟିର ସଭାପତି ପ୍ରମୋଦ ଧାଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଶ୍ରୀ ସିଂଙ୍କୁ ବଉଳକଣୀ ବିଦ୍ୟାପୀଠର ଗର୍ବ ଓ ଗୌରବ ବୋଲି ଅତିଥିମାନେ ଅଭିହିତ କରିଥିଲେ। ତାଙ୍କର ଶିକ୍ଷାଦାନ ଓ ସମାଜ ପ୍ରତି ଅବଦାନକୁ ପ୍ରଶଂସା କରିବା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।
ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଶିକ୍ଷକ ଶ୍ରୀ ସିଂ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ଶିକ୍ଷା ସହ ପରିବେଶ ସୁରକ୍ଷା, ଯୋଗ, ପ୍ରାଣାୟାମ, ଗୁଣାତ୍ମକ ଶିକ୍ଷା ଓ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଭଳି କ୍ଷେତ୍ରରେ କାର୍ଯ୍ୟ କରି ଆସିଛନ୍ତି। ତାଙ୍କ ଉଦ୍ୟମରେ ବିଦ୍ୟାଳୟରେ ସବୁଜ ପରିବେଶ ସୃଷ୍ଟି ସହ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ତାଙ୍କ ମାର୍ଗଦର୍ଶନରେ ପ୍ରତିବର୍ଷ ବିଦ୍ୟାଳୟର ମେଧାବୀ ଛାତ୍ରୀଛାତ୍ର ଜାତୀୟ ମେଧାବୃତ୍ତି ଓ ପଠାଣି ସାମନ୍ତ ବୃତ୍ତି ହାସଲ କରୁଥିବାରୁ ଜିଲା ଓ ରାଜ୍ୟସ୍ତରରେ ସେ ପ୍ରଶଂସା ସାଉଁଟିଛନ୍ତି।
ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାପୀଠର ପ୍ରଧାନଶିକ୍ଷକ ନିଗମାନନ୍ଦ ଦାସ, ବରିଷ୍ଠ କ୍ରୀଡ଼ା ଶିକ୍ଷକ ତଥା ବ୍ଲକ କ୍ରୀଡ଼ା ସଂଯୋଜକ ବ୍ୟାସଦେବ ବେବର୍ତ୍ତା, ଗୀତାରାଣୀ ସାହୁ, ମମତା ମଞ୍ଜରୀ ମିଶ୍ର, ଅଭୟ ସ୍ବାଇଁ, ଅମୀୟ କର, ଚିତ୍ତରଞ୍ଜନ ରାଉତରାୟ, ପ୍ରତାପ ସିଂ, ସଞ୍ଜୟ ବର୍ମନ, ଦିଲୀପ ମଣ୍ଡଳ, ଅଞ୍ଜନ ମଣ୍ଡଳ, ଅନିଲ ମଣ୍ଡଳ, ସୌମ୍ୟନ୍ଦ୍ର ଶେଖର ମଣ୍ଡଳଙ୍କ ସମେତ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ।