ଏମ୍‌ବିବିଏସ୍‌, ବିଡିଏସ୍‌ ନାମଲେଖା ୨୯ରୁ ଆବେଦନ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ୨୦୨୧-୨୨ ସେସନ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ସମେତ ହାଇଟେକ୍‌ ମେଡିକାଲ କଲେଜ (ଘରୋଇ)ରେ ଥିବା ଏମ୍‌ବିବିଏସ ଓ ବିଡିଏସ୍‌ ସିଟଗୁଡ଼ିକରେ ନାମଲେଖା ଏନ୍‌ଇଇଟି(ୟୁଜି) ୨୦୨୧ ମେରିଟ୍‌ ଲିଷ୍ଟ ଅନୁସାରେ ହେବ। ଏ ନେଇ ଗୁରୁବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୧,୯୫୦ଟି ଏମ୍‌ବିବିଏସ୍‌ ଓ ୩୬୩ଟି ବିଡିଏସ୍‌ ସିଟ୍‌ରେ ନାମଲେଖା ପାଇଁ ଆସନ୍ତା ୨୯ ତାରିଖରୁ ଅନ୍‌ଲାଇନ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏ ସମ୍ପର୍କିତ ସବିଶେଷ ତଥ୍ୟ ଓଜେଇଇର ଓ୍ବେବ୍‌ସାଇଟ www.ojee.nic.in/www.odishajee.comରେ ଉପଲବ୍ଧ ରହିଛି। ଏହି କାଉନସେଲିଂ ୩ଟି ପର୍ୟ୍ୟାୟରେ ହେବ। ସିଟ୍‌ ଖାଲି ରହିଲେ ଏକ ମପ୍‌-ଅପ୍‌ ରାଉଣ୍ଡ୍‌ ହେବ ବୋଲି ଓଜେଇଇ ସୂଚନା ଦେଇଛି।