୩ରୁ ଆରମ୍ଭ ହେବ ଯୁକ୍ତ୨ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୧।୯(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ଫଳରେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ଅଫ୍‌ଲାଇନ ପରୀକ୍ଷା ସୁଯୋଗ ଦିଆଯିବ। ଏଥିପାଇଁ ଆସନ୍ତା ୩ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍‌ଲାଇନ ଯୋଗେ ଆବେଦନ କରିପାରିବେ। ଆବେଦନ ଲାଗି ୫ ଦିନ ସମୟ ମିଳିବ। ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଘୋଷଣା କରାଯିବ। ଯେଉଁମାନେ ଅଫ୍‌ଲାଇନ ପରୀକ୍ଷା ଦେବେ, ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ ଆଉ ରହିବ ନାହିଁ। ଅଫ୍‌ଲାଇନ ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ହେବ। ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଚଳିତବର୍ଷ କରୋନା ଯୋଗୁ ଯୁକ୍ତ୨ ପରୀକ୍ଷା କରାଯାଇ ନ ଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ହୋଇଥିଲା। କିନ୍ତୁ ଯେଉଁ ପିଲାମାନେ ପରୀକ୍ଷା ଫଳରେ ସନ୍ତୁଷ୍ଟ ନ ଥିବେ ସେମାନଙ୍କୁ ଅଫ୍‌ଲାଇନ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯିବ ବୋଲି ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ।