ପିଜି ସିଟ୍‌ ପୂରଣ ପାଇଁ ୧ରୁ ଆବେଦନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ପୁଣିଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିଲେ, ସେମାନେ ହିଁ ଆବେଦନ କରିପାରିବେ। ସେହିଭଳି ଯେଉଁ ଛାତ୍ରୀଛାତ୍ର ପ୍ରଥମ, ଦ୍ୱିତୀୟ କିମ୍ବା ସ୍ପଟ୍‌ ନାମଲେଖା ସମୟରେ ନାମଲେଖାଇ ପରବର୍ତ୍ତୀ ସମୟରେ ସିଏଲ୍‌ସି ବା ୟୁଏଲ୍‌ସି ନେଇଯାଇଛନ୍ତି, ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ। ଏଥିସହ ଛାତ୍ରୀଛାତ୍ରମାନେ ଯେଉଁ ବିଷୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବେ ସେମାନେ ଅନ୍ୟ କୌଣସି ବିଷୟରେ ନାମଲେଖା ଲାଗି ଆବେଦନ କରିପାରିବେନି ବୋଲି ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି ହୋଇଛି। ଆସନ୍ତା ୧ ତାରିଖ ମଧ୍ୟାହ୍ନ ୧୨ଟାରୁ ୩ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସାମ୍ସ ୱେବ୍‌ସାଇଟ୍‌ରେ କମନ ଆପ୍ଲିକେଶନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ। ଇଚ୍ଛୁକ ଛାତ୍ରୀଛାତ୍ର ଏହି ସମୟ ମଧ୍ୟରେ ଆବେଦନ କରିପାରିବେ। ୪ ତାରିଖ ଅପରାହ୍ନ ୨ଟାରେ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ଫଳ ସହିତ କ୍ୟାରିୟର ମାର୍କକୁ ମିଶାଇ ମୋଟ ମାର୍କର ତାଲିକା ପ୍ରକାଶ ପାଇବ। ସେହିପରି ୫ ତାରିଖରୁ ୨୧ ତାରିଖ ମଧ୍ୟରେ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ନାମଲେଖା ସମ୍ପର୍କିତ କାର୍ଯ୍ୟ ଶେଷ କରିବେ। ୨୩ରୁ ୨୫ତାରିଖ ମଧ୍ୟରେ ନାମଲେଖା ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।