ଦରଖାସ୍ତଗତ ତ୍ରୁଟି: ଓସିଏସ୍‌ ପରୀକ୍ଷାରୁ ୭୦୩୯ ବଞ୍ଚିତ

କଟକ ଅଫିସ, ୧୪ା୭: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌(ଓସିଏସ୍‌) ପରୀକ୍ଷା ବହୁ ଆଶାୟୀ ବଞ୍ଚିତ ହେବେ। ଏକକାଳୀନ ୭୦୩୯ ଜଣ ଆଶାୟୀଙ୍କ ଦରଖାସ୍ତକୁ ଓପିଏସ୍‌ସି ନାକଚ କରିଦେଇଛି। ଏନେଇ ସୋମବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦରଖାସ୍ତଗତ ତ୍ରୁଟି ଲାଗି ଏକକାଳୀନ ଏତେ ସଂଖ୍ୟକ ଆବେଦନକୁ ଓପିଏସ୍‌ସି ନାକଚ କରିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କାରଣ ପୂର୍ବରୁ କେବଳ ଫି’ ଡିପୋଜିଟ୍‌ ହୋଇ ନ ଥିବା ଆବେଦନକାରୀଙ୍କ ଫର୍ମ ବାତିଲ ହେଇଥିବା ଘଟଣା ନଜରକୁ ଆସିଥିବାବେଳେ ଏଥର ଏକାଧିକ କାରଣ ଲାଗି ଦରଖାସ୍ତ ନାକଚ୍‌ ହୋଇଛି। ବିଶେଷକରି ବ୍ୟକ୍ତିଗତ ବିବରଣୀ ଓ ଠିକଣା ନ ଦେବା, ଫିଜିକାଲ୍‌ ମେଜରମେଣ୍ଟ, ଶିକ୍ଷାଗତ ଯୋଗ୍ୟତା ବିବରଣୀ ନ ଥିବା ଓ ଅନ୍ୟ ପ୍ରମାଣପତ୍ର ଅନ୍‌ ଲାଇନେରେ ଅପ୍ଲୋଡ୍‌ ହୋଇ ନ ଥିବା କାରଣରୁ ଅନେକ ଆଶାୟୀଙ୍କ ଦରଖାସ୍ତ ନାକଚ ହୋଇଛି।