ଗଞ୍ଜାମ, ଯାଜପୁର ଫେରନ୍ତାଙ୍କୁ ଅନୁଗୋଳ ମନା: ଜିଲାପାଳ

ଅନୁଗୋଳ ଅଫିସ,୧୧।୭: ଅନୁଗୋଳ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଜିଲାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି। ଏଥିରେ ରୋକ ଲଗାଇବା ପାଇଁ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାଜପୁର ଓ ଗଞ୍ଜାମ ଲୋକଙ୍କ ପାଇଁ ଅନୁଗୋଳକୁ ପ୍ରବେଶରେ ରୋକ ଲଗାଯାଇଛି। ଏହି ଦୁଇ ଜିଲାର ଲୋକଙ୍କୁ ଅନୁଗୋଳ ଜିଲାକୁ ପ୍ରବେଶ ନିଷେଧ ବୋଲି ଚିଠି ନଂ ୩୩୭/ଆବାସିକ(୧୦.୭.୨୦୨୦)ରେ ଉଲ୍ଲଖ କରିଛନ୍ତି। ଏଥିସହ ଗଞ୍ଜାମ ଓ ଯାଜପୁରରୁ ଫେରିବା କୌଣସି ସ୍ଥାନରୁ ଅଭିଯୋଗ ଆସେ, ତେବେ ଉକ୍ତ ବ୍ୟକ୍ତିଙ୍କୁ ୧୪ ଦିନିଆ ସରକାରୀ କ୍ବାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ ବୋଲି ଜିଳାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିୟମକୁ ଯେଉଁ ବ୍ୟକ୍ତି ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଫୌଜିଦାରି ମାମଲା ରଜୁ କରାଯିବ। ଏନେଇ ଅନୁଗୋଳ ଏସ୍‌ପି, ସମସ୍ତ ଉପଜିଲାପାଳ, ତହସିଲଦାର, ବିଡିଓ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ଜିଲାପାଳ ମହାନ୍ତି ଅବଗତ କରିଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଓ ଯାଜପୁରରେ ଅଧିକ ସଂଖ୍ୟାରେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ଜିଲାପାଳ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।