କେସିଙ୍ଗା, ୧୫।୧୧ (ତୁମେଶ୍ୱର ସାହୁ): ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ଯୁବ-ଛାତ୍ର ସଂଗଠନର ସଭାପତି ଭାବେ ଅନୁଭବ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛନ୍ତି। ଶନିବାର ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ କେସିଙ୍ଗା ଅଞ୍ଚଳର ବିଜେଡି ମହଲରେ ଖୁସିର ଲହରି ଖେଳିଯାଇଛି।
ସୂଚନାଯୋଗ୍ୟ, ଅନୁଭବ କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ିଥିଲେ। ତେବେ ନିର୍ବାଚନର ଦୁଇଦିନ ପୂର୍ବରୁ ତାଙ୍କ ବିରୋଧରେ ଜଣେ ପ୍ରତିଦ୍ୱନ୍ଦ୍ୱୀ ଯୁବକ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅନୁଭବ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ବୋଲି ଦର୍ଶାଇ କେସିଙ୍ଗା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ପ୍ରାର୍ଥିତ୍ୱକୁ ନାକଚ କରିଥିଲେ।
ଏହାକୁ ନେଇ ବିଜେଡି କର୍ମକର୍ତ୍ତାମାନେ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଥାନାକୁ ଯାଇ ଆଲୋଚନା କରିଥିଲେ। ଆଲୋଚନା ପରେ ପୁନର୍ବାର ଅନୁଭବଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳିଥିଲା। ତେବେ ଅନୁଭବଙ୍କ ବିଜୟ ସମ୍ଭାବନାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କଳାହାଣ୍ଡି ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କେସିଙ୍ଗା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିଲା।
ଅନୁଭବଙ୍କ କାର୍ଯ୍ୟକଳାପ ଓ ଯୁବ ସଂଗଠକ ଭାବେ ତାଙ୍କର ଦକ୍ଷତାକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ତାଙ୍କୁ କେସିଙ୍ଗା ଏନ୍ଏସିର ଯୁବ-ଛାତ୍ର ସଂଗଠନର ସଭାପତି ଭାବେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ଅନୁଭବ ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ଆଗାମୀ ଏନ୍ଏସି ନିର୍ବାଚନରେ ଯୁବକ ଓ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ସେ ପ୍ରାଣପଣେ ଉଦ୍ୟମ କରିବେ।
ଏହି ଖବର ପ୍ରଚାରିତ ହେବା ପରେ ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ସମେତ ପୂର୍ବତନ କେସିଙ୍ଗା ଟାଉନ୍ ସଭାପତି ରମେଶ ପଟ୍ଟନାୟକ, ସିଲୁ ପରିଡ଼ା ଓ ବହୁ ବରିଷ୍ଠ ବିଜେଡି କର୍ମୀ ଅନୁଭବ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇଛନ୍ତି। ଏଥିସହ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।