ଗର୍ଭବତୀଙ୍କ ଆଣ୍ଟିଜେନ୍‌ ରିପୋର୍ଟ ପଜିଟିଭ୍‌

କଟକ ଅଫିସ,୯।୭: ଏସ୍‌ସିବିରେ ଆରମ୍ଭ ହୋଇଥିବା ଆଣ୍ଟିଜେନ୍‌ ଟେଷ୍ଟରେ ବୁଧବାର ଜଣେ ଗର୍ଭବତୀ ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ପ୍ରସବ ବେଳେ ତାଙ୍କର ମୃତ ଶିଶୁ ଜନ୍ମ ହୋଇଛି। ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରସବକାଳୀନ ଅସ୍ତ୍ରୋପଚାରରେ ସାମିଲ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରାଣ୍ଟାଇନକୁ ପଠାଯିବ। କରୋନା ଆକ୍ରାନ୍ତ ମହିଳାଙ୍କୁ ଗୁରୁବାର କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ।
ବୁଧବାର ଦିପହରେ ଏସ୍‌ସିବିର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କଟକ ସିଡିଏ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଆଡମିଶନ କରାଯାଇଥିଲା। ରାପିଡ୍‌ ଆଣ୍ଟିଜେନ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଲେବର ରୁମ୍‌ର ଆଇସୋଲେଶନ ବେଡ୍‌ରେ ରଖାଯାଇଥିଲା। ପ୍ରସବ ବେଦନା ବଢ଼ିବାରୁ ଉକ୍ତ ବିଭାଗର କୋଭିଡ ଟିମ୍‌ ମହିଳାଙ୍କ ଚିକିତ୍ସା ପାଇଁ ବିଭାଗୀୟ ମୁଖ୍ୟ ତଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଆବଶ୍ୟକ ପଡ଼ିବାରୁ ମହିଳାଙ୍କ ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ସେ ମୃତଶିଶୁ ପ୍ରସବ କରିଥିଲେ। ଅସ୍ତ୍ରୋପଚାରରେ ୨ ଜଣ ସିନିୟର ରେସିଡେଣ୍ଟ ଓ ଜଣେ ଆନାସ୍ଥେସିଆ ଡାକ୍ତରଙ୍କ ସହ ଅନ୍ୟ ପାରାମେଡିକାଲ ଷ୍ଟାଫ୍‌ ନିୟୋଜିତ ଥିଲେ। ଅନ୍ୟପକ୍ଷରେ କଟକ ଶିଶୁ ଭବନ ମେଡିସିନ ୱାର୍ଡର ଫିବର କ୍ଳିନିକରେ ଭର୍ତ୍ତି ହୋଇଥିବା ଜଣେ ଶିଶୁର ରିପୋର୍ଟ ପଜିଟିଭ ଆସିଛି। ତାକୁ କୋଭିଡ ହସ୍ପିଟାଲ ପଠାଯାଇଛି। ସେହିପରି ଏସ୍‌ସିବି ଆଇସୋଲେଶନ ୱାର୍ଡରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।