ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ମହିଳାମାନେ ଅଞ୍ଚଳରେ ଦେଶୀ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଅଣ୍ଟା ଭିଡିଛନ୍ତି।

ରବିବାର ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ବରାଗୁଡ଼ା ଗାଁ ହାଟ ପଡ଼ିଆରେ ପଞ୍ଚାୟତର ଶତାଧିକ ମହିଳା ଏକତ୍ରିତ ହୋଇ ପଞ୍ଚାୟତରେ ମଦ ବନ୍ଦ ପାଇଁ ଆହ୍ବାନ ଦେଇଥିଲେ। ଫୁପୁଗାଁ ପଞ୍ଚାୟତରେ ଦେଶୀ ମଦ ରନ୍ଧା ଓ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଇବା ପାଇଁ ଆଲୋଚନା କରିଥିଲେ।

ମହିଳାଙ୍କ ଅଭିଯୋଗ ମୁତାବକ, ଆଦିବାସୀ ବହୁଳ ଅଞ୍ଚଳରେ ସ୍ବଳ୍ପ ରୋଜଗାର ହେଉଥିବା ବେଳେ ମଦ୍ୟପାନ ଯୋଗୁ ପରିବାର ଚଳିବା କଷ୍ଟକର ହେଉଛି। ଏପରିକି ମଦ୍ୟପାନ ଯୋଗୁ ଘରେ ଅଶାନ୍ତି ପରିବେଶ ସୃଷ୍ଟି ହେବା ସହ ବିଭିନ୍ନ ଅପରାଧ ମଧ୍ୟ ଘଟୁଛି। ବିଶେଷ କରି କମ୍‌ ବୟସର ଲୋକେ ମଦ୍ୟପାନ କରି ମୃତ୍ୟୁବରଣ କରୁଥିବା ବେଳେ ପରିବାର ଉଜୁଡି ଯାଉଥିବା ମହିଳାମାନେ ଅଭଯୋଗ କରିଛନ୍ତି। ଏନେଇ ଅଞ୍ଚଳରେ ମଦ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳାମାନେ ଦାବି କରିଛନ୍ତି। ଦାବି ପୁରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

Share