ଆନ୍ତଃରାଜ୍ୟ ପକେଟ୍‌ମାର୍‌ ଗ୍ୟାଙ୍ଗ୍‌ ଧରାପଡ଼ିଲା

ଭୁବନେଶ୍ବର,୪ା୧୦(ବ୍ୟୁରୋ):ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ ସାବଧାନ। ସହରରେ ମାତିଛନ୍ତି ଏକାଧିକ ପକେଟ୍‌ମାର୍‌ ଗ୍ୟାଙ୍ଗ୍‌। ଭିଡ଼ ଭିତରେ ପକେଟରୁ, ବ୍ୟାଗ୍‌ରୁ ସବୁକିଛି ଲୁଟିନେଉଛନ୍ତି। ପିଲାଙ୍କଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ବେକରୁ ସୁୁନାଚେନ୍‌ ବି ଝାମ୍ପିନେଉଛନ୍ତି। ଟିକିଏ ସତର୍କ ନ ରହିଲେ ଏସବୁ ତ ହରାଇବେ, ଜୀବନ ବି ଚାଲିଯିବାର ସମ୍ଭାବନା ରହିଛି। କାରଣ ସେମାନଙ୍କ ହାତରେ ରହୁଛି ବ୍ଲେଡ୍‌ ଭଳି ତୀକ୍ଷ୍ଣ ମାରଣାସ୍ତ୍ର। ପୂଜା ଭିଡ଼ରେ ଆତଙ୍କ ଖେଳାଉଥିବା ଏଭଳି ଏକ ଗ୍ୟାଙ୍ଗ୍‌କୁ ନୟାପଲ୍ଲୀ ଥାନା ପୋଲିସ ଧରିଛି। ଗ୍ୟାଙ୍ଗ୍‌ର ୬ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଖୋଜୁଛି। ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ବିହାରର ହୋଇଥିବାବେଳେ ୪ଜଣ ପଶ୍ଚିମବଙ୍ଗର। ସେମାନେ ହେଲେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ବିହାରର ଅଭିକାନ୍ତ ଶର୍ମା ଓ ଗୋପାଳ ଶର୍ମା। ସେହିପରି ପଶ୍ଚିମବଙ୍ଗର ସବ୍‌ ମୁଁ ସିଂ, ଅଜୟ ସିଂ, ଶିବ ସିଂ ଓ ଗଣେଶ ସିଂ। ସେମାନଙ୍କଠାରୁ ଲୁଟ୍‌ ଓ ଚୋରି ପାଇଁ ବ୍ୟବହୃତ ବ୍ଲେଡ୍‌ ଜବତ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଏମାନେ ପୂଜା ମଣ୍ଡପ ନିକଟରେ ଚୁଡି ଦୋକାନ ପକାଇଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି।
ସୂଚନାନୁସାରେ, ରବିବାର ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ପରିସରରେ ଜଣେ ବ୍ୟକ୍ତିଙ୍କ ପକେଟକୁ କାଟି ଚୋରି କରୁଥିବାବେଳେ ବ୍ୟକ୍ତିଜଣକ ହାତ କଟିଯାଇଥିଲା। ଏନେଇ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ସିସିଟିଭି ଆଧାରରେ ଅଭିଯୋଗର ୨ଘଣ୍ଟା ପରେ ଜଣଙ୍କୁ କାବୁ କରିଥିଲା। ଏହାପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ସେ ଅନ୍ୟ ୫ ଜଣଙ୍କ ନାଁ କହିଥିଲେ। ପରେ ପୋଲିସ ଚଢାଉ କରି ଅନ୍ୟମାନଙ୍କୁ ଗିରଫ କରିଥିଲା। ତେବେ ଚୋରି ହୋଇଥିବା ଜିନିଷ ପୋଲିସ ଜବତ କରି ନ ଥିବା ଜଣାପଡିଛି।