ଜ୍ବର ହୋଇଥିବା ବ୍ୟକ୍ତିଙ୍କୁ କ୍ୱାକର ଦେଇଦେଲେ ଭୁଲ ଇଞ୍ଜେକ୍ସନ, ଚାଲିଗଲା ଜୀବନ

ବଲାଙ୍ଗୀର,୪।୬((ସୁନିଲ କୁମାର ମହାନ୍ତି): ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି । ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଅଇଁଲାଭଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣକ ହେଲେ ଲକ୍ଷ୍ମଣ ମହାନନ୍ଦ ।

ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କୁ ଜ୍ୱର ହେଉଥିଲା । ଫଳରେ କ୍ୱାକକୁ ଖବର ଦେଇଥିଲେ ପରିବାର ଲୋକେ । ଲିମପଡା ଗାଁର ଶ୍ୟାମ ସାହୁ ନାମକ ଜଣେ କ୍ୱାକ ଇଞ୍ଜେକ୍ସନ ଦେଇଥିଲେ । ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ସେହି ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କ୍ୱାକର ଇଞ୍ଜେକ୍ସନ ନା ଆଉ ଅନ୍ୟ କେଉଁ କାରଣରୁ ରୋଗୀଙ୍କ ମୃତ୍ୟୁ ହେଲା ତାହା ଜଣାପଡିନାହିଁ । ମୃତଦେହ ବ୍ୟବଚ୍ଛେଦ କରାଯାଇନଥିବା ଜଣାପଡିଛି ।

ଏହି ଘଟଣାର ଉଚିତ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ । କିଛି ଦିନ ପୂର୍ବରୁ କ୍ୱାକର ଭୁଲ ଇଞ୍ଜେକ୍ସନରେ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। ଏବେ ପୁଣି ମୁରିବାହାଲ ଅଞ୍ଚଳରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

 

Dharitri – Odisha’s No.1 Odia Daily

Share