ବର୍ଷା ଅଭାବରୁ ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ: ୪ ଦିନ ଭିତରେ ୨ ଜଣଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଅଫିସ,୬।୯: ବଲାଙ୍ଗୀର ଜିଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟଣାଗଡ ବ୍ଲକ ଭାଲୁଜୁରି ଗାଁର ଚାଷୀ ଯୁଧିଷ୍ଠିର ଭୋଇ (୪୦) ମରୁଡି ପରିସ୍ଥିତି ଦେଖା ଦେବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁଧିଷ୍ଠିର ଗତ ଶନିବାର ବିଷ ପିଇ ଦେବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଯୁଧିଷ୍ଠିରଙ୍କ ମୃତ୍ୟୁ ଘଟିଥିଲା। ସୋମବାର ସକାଳୁ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ପରେ ପରିବାର ଲୋକେ ମୃତଦେହକୁ ଗାଁକୁ ନେଇଥିଲେ। ଯୁଧିଷ୍ଠିର ଜଣେ ଭାଗଚାଷୀ ଓ ଧାନ ଫସଲ ନଷ୍ଟ ଯୋଗୁ ସେ ବିଷପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁଧିଷ୍ଠିର ଭଇଁଷା ଗାଁର ଜଣେ ଚାଷୀଙ୍କ ଦୁଇ ଏକର ଜମିରେ ଚାଷ କରିଥିଲେ । ବର୍ଷା ଅଭାବରୁ ଚିନ୍ତାରେ ପଡ଼ିଥିଲେ । ଗତ ୪ଦିନ ଭିତରେ ଜିଲାର ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛିିୟ। ପୂର୍ବରୁ ତୁରେକେଲା ବ୍ଲକ ଅନ୍ତର୍ଗତ କାଦୋବେଡା ଗ୍ରାମର ଚାଷୀ ରିଚେକା ବନଛୋର ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।