ଆଖି ବୁଜିଲା ଆଉ ଏକ ହାତୀ

କେନ୍ଦୁଝର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଡିଭିଜନ ତେଲକୋଇ ରେଞ୍ଜ ଅନ୍ତର୍ଗତ ସଲେଇକେନା ଗ୍ରାମ ନିକଟ ଜଙ୍ଗଲରେ ଏକ ପ୍ରାୟ ୨୦ ବର୍ଷର ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦଳରେ ଥିବା ଦୁଇ ଦନ୍ତାହାତୀଙ୍କ ମଧ୍ୟରେ ଲଢ଼େଇ ଯୋଗୁ ଗୋଟିଏର ମୃତ୍ୟୁ ହୋଇଥିବା ବନ ବିଭାଗ କହୁଛି। ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ହାତୀ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟିଛି।

ତେବେ ଜିଲାରେ ମାସକ ମଧ୍ୟରେ ବିଭିନ୍ନ ରେଞ୍ଜରେ ତିନୋଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ହାତୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ସରପଞ୍ଚ ପାଙ୍ଗେଲା ମୁଣ୍ଡା କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖର ବିଷୟ। ମୃତ୍ୟୁର କାରଣ ଯାଞ୍ଚ ପାଇଁ ଦାବି କରିଛନ୍ତି।