ଭଞ୍ଜନଗର, ୧୬।୧୧ (ବାବୁଲା ପ୍ରଧାନ): ଗତ ଅକ୍ଟୋବର ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲାରେ ସଂଘଟିତ ଭୟାବହ ବନ୍ୟାରୁ ଭଞ୍ଜନଗର ଜଳସମ୍ପଦ ବିଭାଗ କିଛି ଶିକ୍ଷା ଲାଭ କରିଥିବା ଭଳି ମନେ ହେଉନାହିଁ। ବନ୍ୟାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଥିଲେ ମଧ୍ୟ ଅଞ୍ଚଳର ଅନେକ ନଦୀନାଳ ଉପରେ ଥିବା ବ୍ରିଜ ଓ କଲଭର୍ଟରେ ଗଛ, ଡାଳପତ୍ର ଓ ଅନ୍ୟାନ୍ୟ ଆବର୍ଜନା ଗଦା ହୋଇ ରହିଛି। ଏସବୁକୁ ହଟାଇ ଜଳ ନିଷ୍କାସନ ପଥ ସ୍ବାଭାବିକ କରିବା ଦିଗରେ ବିଭାଗୀୟ ତତ୍ପରତା ଦେଖିବାକୁ ମିଳୁନାହିଁ।
ଏଭଳି ସ୍ଥିତିରେ ଆସନ୍ତା ୧୮ ତାରିଖରୁ ପୁଣି ବାତ୍ୟା ଆଶଙ୍କା ରହିଥିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି। ବାତ୍ୟା ପରବର୍ତ୍ତୀ ସମୟରେ ପ୍ରବଳ ବର୍ଷା ହେଲେ ନଦୀନାଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇପାରେ। ଫଳରେ ନଦୀବନ୍ଧ ଉପରେ ଚାପ ବୃଦ୍ଧି ପାଇ ବନ୍ଧ ଭାଙ୍ଗିବା ସହ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ଗତ ବନ୍ୟା ସମୟରେ ଲୋହରାଖଣ୍ଡି ନଦୀ ଉପରେ ଭଞ୍ଜନଗର ବାଇପାସ ରାସ୍ତାରେ ଥିବା ସେତୁ ନିକଟରେ ଏକ ବଡ଼ ଗଛ ଲାଗି ରହିଥିଲା। ମାତ୍ର ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ତାହାକୁ ହଟାଯାଇ ନଥିଲା। ଏ ସମ୍ପର୍କରେ ଜଳସମ୍ପଦ ବିଭାଗକୁ ପଚାରିବାରୁ ଏହା ବିଭାଗର କାର୍ଯ୍ୟ ପରିସରଭୁକ୍ତ ନୁହେଁ ଏବଂ ସେତୁଟି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବାରୁ ସେମାନେ ସଫେଇ କରିବେ ବୋଲି କହି ବିଭାଗ ନିଜ ଦାୟିତ୍ୱରୁ ଦୂରେଇ ରହିଥିଲା।
ରବିବାର ସନ୍ଧ୍ୟାରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆଗାମୀ ବାତ୍ୟା ମୁକାବିଲା ପାଇଁ ଆୟୋଜିତ ପୂର୍ବ ପ୍ରସ୍ତୁତି ବୈଠକରେ ପୁଣି ଏହି ଗଛ ହଟାଇବା ପ୍ରସଙ୍ଗ ଉଠିଥିଲା। ଶେଷରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଉପସ୍ଥିତିରେ ଉକ୍ତ ଗଛକୁ ହଟାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା।
ତେବେ ଭଞ୍ଜନଗର ଜଳଭଣ୍ଡାରରୁ ବଳକା ଜଳ ନିଷ୍କାସିତ ହେଉଥିବା ନଦୀରେ ଥିବା ଆଉ ଦୁଇଟି ସେତୁ ନିକଟରେ ବହୁ ପରିମାଣର ଛୋଟ ଗଛ, ଡାଳପତ୍ର ଓ ଆବର୍ଜନା ଲାଗି ରହିଛି। ଏହାକୁ ହଟାଇବା ଦିଗରେ ଜଳସମ୍ପଦ ବିଭାଗ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି।
ଏନେଇ ଭଞ୍ଜନଗର ଜଳସମ୍ପଦ ବିଭାଗର ଜଣେ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହା ବିଭାଗର କାର୍ଯ୍ୟ ନୁହେଁ। ଯେଉଁ ବିଭାଗ ଅଧୀନରେ ସେତୁ ରହିଛି, ସେହି ବିଭାଗ ସଫେଇ କରିବା କଥା। ତଥାପି ଆମେ କେତେକ ସ୍ଥାନରେ ସଫେଇ କାର୍ଯ୍ୟ କରୁଛୁ।
ଆଗାମୀ ବାତ୍ୟା ଓ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସମସ୍ତ ବ୍ରିଜ ଓ କଲଭର୍ଟ ନିକଟରୁ ଆବର୍ଜନା ହଟାଇବା ସହ ଜଳ ନିଷ୍କାସନ ପଥ ସଫା କରିବାକୁ ସାଧାରଣରେ ଦାବି ହୋଇଛି।