କରୋନାରେ ପ୍ରାଣ ହରାଇଲେ ଆଉ ଜଣେ କରୋନା ଯୋଦ୍ଧା: ଥାନା ପରିସରରେ ଦିଆଗଲା ଶେଷ ସମ୍ମାନ

ବାଲିଗୁଡା,୮।୧୦(ଡି.ଏନ.ଏ): କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ପୁଣି ଜଣେ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି। ସେ କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବାଳି କହଁର (୫୩) ବୋଲି ଜଣାପଡିଛି। ଗତ ମାସ ୨୦ ତାରିଖରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କନ୍ଧମାଳ ଜିଲା ପୋଲିସ ବିଭାଗ ପକ୍ଷରୁ ତାଙ୍କର ପାର୍ଥିବ ଶରୀରକୁ ବାଲିଗୁଡା ଥାନାକୁ ଅଣାଯିବାପରେ ସେଠାରେ ତାଙ୍କୁ କୋଭିଡ ଯୋଦ୍ଧା ଭାବରେ ଶେଷ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ସେଠାରେ କନ୍ଧମାଳ ଏସ୍‌ପି ଭିନିତ୍‌ ଅଗ୍ରୱାଲ, ବାଲିଗୁଡା ଉପଜିଲାପାଳ ଡା.ଶୁଭଙ୍କର ମହାପାତ୍ରଙ୍କ ସମେତ ସ୍ବର୍ଗତ ବାଳି କହଁରଙ୍କ ପରିବାର ଓ ବାଲିଗୁଡା ଏସଡିପିଓ ମାନସ ରଂଜନ ବାରିକ, ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ପରେ କୋଭିଡ ନିୟମ ପ୍ରକାରେ ବାଲିଗୁଡାଠାରୁ ୪ କିଲୋମିଟର ଦୂର ବ୍ଳଦୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ସ୍ବର୍ଗତ ବାଳି କହଁରଙ୍କ ଘର ବୌଦ୍ଧ ଜିଲା ଗମ୍ଭାରିପଡାରେ। ୦୧.୦୧.୧୯୬୭ ମସିହାରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ କହଁର ଗତ ୧୯୮୬ ମସିହାରେ ସେ କନ୍ଧମାଳ ଜିଲା ପୋଲିସରେ କନଷ୍ଟେବଳ ଭାବେ ଯୋଗଦେଇ ଜିଲାର ବିଭିନ୍ନ ଥାନାରେ ସେ କାର୍ଯ୍ୟ କରିଛନ୍ତି। ତେବେ କନ୍ଧମାଳ ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ କୋଭିଡ ଯୋଦ୍ଧାଙ୍କର କରୋନା ସଂକ୍ରମଣ ଯୋଗୁ ଦେହାନ୍ତ ଘଟିଥିବା ବେଳେ ସମସ୍ତେ ପୋଲିସ କର୍ମଚାରୀ ଥିଲେ।