ନିର୍ବାଚନ ପୂର୍ବରୁ ପୁଣି ଜଣେ ଭାଜପା ନେତାଙ୍କୁ ମାଓବାଦୀଙ୍କ ହତ୍ୟା

ମାଲକାନଗିରି,୭ା୩(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ପୁଣି ଜଣେ ଭାଜପା ନେତାଙ୍କୁ ବୁଧବାର ଗୁଳି କରି ହତ୍ୟା କରିବା ସହ ତାଙ୍କ ଜେସିବିରେ ନିଅଁା ଲଗାଇ ଦେଇଛନ୍ତି। ଏହି ଘଟଣା ଜଙ୍ଗଲାର କୋଟାମେଟା ଅଞ୍ଚଳରେ ଘଟିଛି।
ସୂଚନା ଅନୁଯାୟୀ, ଭାଜପା ନେତା ତଥା ଟ୍ରେଡର୍ସ ସେଲ୍‌ର ସଂଘ ଉପାଧ୍ୟକ୍ଷ ଜଙ୍ଗଲାର ବାସିନ୍ଦା କୈଳାସ ନାଗଙ୍କୁ ବୁଧବାର ସନ୍ଧ୍ୟାରେ କୋଟମେଟାଠାରେ ମାଓବାଦୀମାନେ ହତ୍ୟା କରିଥିଲେ। ଜଙ୍ଗଲାର ଥାନାଠାରୁ ପ୍ରାୟ ୧୨ କି.ମି. ଦୂରରେ ଥିବା କୋଟାମେଟାଠାରେ ଏକ ନୂତନ ପୋଖରୀ ଖୋଳା ଚାଲିଥିଲା। ଏଠାରେ କୈଲାସଙ୍କ ଜେସିବିରେ ପୋଖରୀ ଖୋଳା ହେଉଥିଲା। ଏହି ସମୟରେ ମାଓବାଦୀମାନେ କୈଲାସଙ୍କୁ ହତ୍ୟା କରିଥିଲେ।
ସୂଚନଯୋଗ୍ୟ, ୬ ଦିନ ମଧ୍ୟରେ ମାଓବାଦୀମାନେ ଏହାକୁ ମିଶାଇ ୨ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। ଗତ ଶୁକ୍ରବାର ଭାଜପା ନେତା ତଥା ଜିଲା ସଦସ୍ୟ ତିରୁପତି କାଟଲା ତୋଏନା ଗଁାରେ ଏକ ବିବାହ ଉତ୍ସବକୁ ଯାଇଥିଲା ବେଳେ ମାଓବାଦୀମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରିଥିଲେ।