ସିସୋର୍‌ର ଆଉ ୫.୬୭ କୋଟିର ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,୫।୧୨(ବ୍ୟୁରୋ): ସିସୋର୍‌ ଚିଟ୍‌ଫଣ୍ଡ ସଂସ୍ଥାର ଆଉ ୫.୬୭ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ଟଙ୍କା ସିସୋର ଆକାଉଣ୍ଟରୁ ୨ ବ୍ୟବସାୟୀ ମହାରାଷ୍ଟ୍ରର ଦିଲୀପ ଅମୃତଲାଲ ଗୁଡାକା ଓ ଭୁବନେଶ୍ୱରର ହେରାଲ୍ଡ ଓଭରସିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ମୟୂରେଶ ଦାଶଙ୍କ ଆକାଉଣ୍ଟକୁ ଯାଇଥିଲା। ଏମାନେ ସିସୋରରୁ ଟଙ୍କା ନେଇ ଆଉ ଫେରାଇ ନ ଥିବା ତଦନ୍ତ ସମୟରେ ଇଡ଼ି ଜାଣିବା ପରେ ଏହାକୁ ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ନଭେମ୍ବର ୨୬ରେ ଏଥିପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ଶନିବାର ଇଡି ମନି ଲଣ୍ଡରିଂ ଆକ୍ଟ ୨୦୦୨ ଆଧାରରେ ଉଭୟଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି। ଏହାପୂର୍ବରୁ ଇଡି ସିସୋରର ୨୫୮କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପିକୁ ବାଜ୍ୟାପ୍ତି କରିଥିଲା।

ସିସୋର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ କାର୍ଯ୍ୟାଳୟ ଖୋଲି ଲୋକଙ୍କଠାରୁ ବହୁ କୋଟି ଟଙ୍କା ଠକେଇ କରିଥିଲା। ଏ ନେଇ ରାଜ୍ୟର ବିଭିନ୍ନ ଥାନାରେ ୪୦ ଠକେଇ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିଲା। ତେବେ ପ୍ରଥମ କରି କୋଲକାତାର ସିବିଆଇ ନିକଟରେ ସିସୋର ଚିଟ୍‌ଫଣ୍ଡ ସଂସ୍ଥା ନାମରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଓଡ଼ିଶାରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଟଙ୍କା କାରବାରର ତଦନ୍ତ ଇଡି କରୁଥିବାବେଳେ ୨୦୧୪ ମାର୍ଚ୍ଚ ୨୨ରେ ସିସୋର ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା।