ଆଉ ୩ଦିନ ତାତି, ୪ରୁ ପୁଣି ବର୍ଷା

ଭୁବନେଶ୍ୱର,୧ା୮(ବ୍ୟୁରୋ): ଶ୍ରାବଣ ମାସରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରୁ ତାପମାତ୍ରା ବଢୁଛି। ଦିନ ଓ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ରବିବାର ଅନୁଗୋଳରେ ସର୍ବାଧିକ ତାପମାତ୍ରା ୩୬.୧ ଡିଗ୍ରୀ ରହିଥିବାବେଳେ ସମ୍ବଲପୁର ୩୬, କଟକ ୩୫.୬, ଚାନ୍ଦବାଲି ୩୫.୭, ଝାରସୁଗୁଡ଼ା ୩୫.୨, ଟିଟିଲାଗଡ଼ ୩୫.୫, ବରଗଡ଼ ୩୫.୬, ଭଦ୍ରକ ୩୫, ନୟାଗଡ଼ ୩୫, ବୌଦ୍ଧ ୩୫, ପାରଳାଖେମୁଣ୍ଡି ୩୫, ସୋନପୁର ୩୫.୬, ମାଲାକାନଗିରି ୩୫, ବଲାଙ୍ଗୀର ୩୫.୨, ହୀରାକୁଦ ୩୫.୨ ଡିଗ୍ରୀ ଓ ବାକିସବୁ ଜିଲାରେ ୩୨ ଡିଗ୍ରୀ ଉପରେ ତାପମାତ୍ରା ରହିଥିଲା। ତେବେ ଆଗାମୀ ୨ରୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଯାଏ ଅଧିକ ରହିବ। ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଏବଂ ସ୍ବାଭାବିକଠାରୁ ଅଧିକ ତାପମାତ୍ରା କାରଣରୁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ତେବେ ଆସନ୍ତା ୪ ତାରିଖରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ଏହାପରେ ତାତିରୁ ଆଶ୍ୱସ୍ତି ମିଳିବ। ୪ ତାରିଖ ଦିନ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ହେବ ଏବଂ ଏଥିପାଇଁ ୟେଲୋ ଓ୍ବାର୍ନିଂ ଜାରି ରହିଛି। ସୋମବାର କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ନବରଙ୍ଗପୁରରେ, ମଙ୍ଗଳବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, କନ୍ଧମାଳ, ନବରଙ୍ଗପୁରରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ବୁଧବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଉତ୍ତର ଓଡ଼ିଶାର କିଛି ଜିଲାରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପେଟ ରବିବାର ଚାନ୍ଦବାଲିରେ ୨୫.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବାଲେଶ୍ୱରରେ ୨.୫, ପାରାଦୀପ ୨.୨, ଜଗତସିଂହପୁର ୩ ଓ କେନ୍ଦ୍ରାପଡ଼ାରେ ୨ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।