ନାମହୀନ ନୀତି

ଆମେରିକାକୁ ଅସନ୍ତୁଷ୍ଟ ନ କରିବା ପାଇଁ ଗାଜାରେ ହିଂସା ବନ୍ଦ କରିବାକୁ ଭାରତ ଆହ୍ବାନ ଦେଇନାହିଁ। ମାଳଦ୍ୱୀପର ନୂତନ ନେତା ତାଙ୍କ ଦେଶରୁ ଭାରତୀୟ ସୈନିକମାନଙ୍କୁ ହଟାଇନେବାକୁ ଆମକୁ କହିଲେ। କାତାର ୮ଜଣ ଭାରତୀୟ ନୌସେନା ଭେଟେରାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲା। ଭାରତର ଆପତ୍ତି ସତ୍ତ୍ୱେ ଶ୍ରୀଲଙ୍କା ଚାଇନାର ଏକ ଗୁପ୍ତଚର ଜାହାଜକୁ କଲମ୍ବୋ ବନ୍ଦରରେ ରହିବାକୁ ଅନୁମତି ଦେଲା। ଭୁଟାନ କହିଲା, ଚାଇନା ସହିତ ଡୋକ୍‌ଲାମ ସମେତ ଅନ୍ୟ ସୀମା ବୁଝାମଣା କରିବାକୁ ଯାଉଛି। ନେପାଳ ଏହାର ନୂତନ ଗୌତମ ବୁଦ୍ଧ ବିମାନବନ୍ଦର ବ୍ୟବହାର କରିପାରିବ ନାହିଁ, କାରଣ ଭାରତ ତା’ଉପର ଦେଇ ବଡ଼ ବିମାନ ଆସିବାକୁ ଅନୁମତି ଦେବ ନାହିଁ। ୨୦୨୪ ପର୍ଯ୍ୟନ୍ତ ଭାରତୀୟଙ୍କ ପାଇଁ ଭିଜା ସ୍ବାଭାବିକ କରିବ ନାହିଁ ବୋଲି କାନାଡା କହିଛି। ଏହିସବୁ ଘଟଣା କିଛିଦିନ ମଧ୍ୟରେ ଘଟିଛି। ଭାରତ ବ୍ୟତୀତ ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ ସମେତ ସମସ୍ତ ଦକ୍ଷିଣ ଏସୀୟ ଦେଶ ଗାଜାରେ ହିଂସା ବନ୍ଦ କରିବାକୁ ଭୋଟ ଦେଇଥିଲେ, ଯେଉଁମାନେ ପାରମ୍ପରିକ ଭାବେ ଭାରତ ସହ ଭୋଟ ଦେଇଥାନ୍ତି। ମାଳଦ୍ୱୀପରେ ଥିବା ୭୦ ଜଣ ଭାରତୀୟ ସୈନିକ ଏବେ ଫେରିବେ। ଆମକୁ ବାହାରିଯିବାକୁ କୁହାଯିବାର କାରଣ ହେଉଛି ମାଳଦ୍ୱୀପ ଚାଇନାକୁ ସମର୍ଥନ କରିବାକୁ ଚାହୁଁଛି।
ବୈଦେଶିକ ମନ୍ତ୍ରୀଙ୍କ ପ୍ରଶଂସକମାନେ ବିଶ୍ୱାସ କରନ୍ତି, ଆମେ ଏକ ସଫଳ ବୈଦେଶିକ ନୀତି ଚଳାଉଛୁ। ତେବେ ଆମେ ଏହା କରୁଛୁ ନା ଭାରତର ବିଶ୍ୱ ପ୍ରତିଷ୍ଠାକୁ ନଷ୍ଟ କରୁଛୁ। ଆମେ ବିଶ୍ୱ ପ୍ରତିଷ୍ଠାକୁ ନଷ୍ଟ କରୁଛୁ ବୋଲି କେତେଜଣ ଭାବୁଛନ୍ତି। ତେବେ ଏସବୁ ଉପରେ ବିତର୍କ କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। କାରଣ ଆମେ ମୋଦି ଶାସନର ୧୦ମ ବର୍ଷରେ ଅଛୁ ଏବଂ ଜଣେ ଏ ସମ୍ପର୍କରେ ଜାଣିିବା ଲାଗି ଯଥେଷ୍ଟ ତଥ୍ୟ ରହିଛି। କୌତୂହଳର ବିଷୟ ହେଉଛି, ମୋଦି ସରକାରଙ୍କ ବୈଦେଶିକ ନୀତି ପ୍ରକୃତରେ କ’ଣ ଏବଂ ଏହା ବାସ୍ତବରେ କ’ଣ ହାସଲ କରିବା ପାଇଁ ଚାହୁଁଛି। ୨୦୧୪ରେ ଭାଜପାର ଇସ୍ତାହାରରେ ପ୍ରକାଶ କରାଯାଇଥିଲା ଯେ, ଏହା ସାଉଥ୍‌ ଏସିଆ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ସାର୍କ)କୁ ମଜଭୁତ କରିବ ଏବଂ ଭାରତର ରାଜ୍ୟଗୁଡ଼ିକୁ କୂଟନୀତିରେ ଅଧିକ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରାଯିବ। ୨୦୧୯ରେ ଇସ୍ତାହାରରୁ ଏହି ଦୁଇଟି ବିଷୟ ହଟାଇ ଦିଆଗଲା ଓ କୌଣସି ନୂଆ ବିଷୟ ଉଲ୍ଲେଖ କରାଗଲା ନାହିଁ। କିନ୍ତୁ ଯେଉଁମାନେ ବୈଦେଶିକ ନୀତି ଉପରେ ଅଧ୍ୟୟନ କରୁଛନ୍ତି ସେମାନେ ଏକ ନୂତନ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ଏହି ଆଭିମୁଖ୍ୟ ଜୟଶଙ୍କରଙ୍କ ଦ୍ୱାରା ପ୍ରଦତ୍ତ ଚାଇନାର ଶକ୍ତି ବୃଦ୍ଧି, ଭାରତର ଆର୍ଥିକ ସଙ୍କଟର ଦଶନ୍ଧି, ମହାଭାରତ, ସାମୁଦ୍ରିକ ଶକ୍ତି ଏବଂ କୋଭିଡ୍‌ ମହାମାରୀ ସମ୍ପର୍କିତ ଭାଷଣରୁ ସାମ୍ନାକୁ ଆସିଛି। ଏହି ଭାଷଣଗୁଡ଼ିକ ‘ଦ ଇଣ୍ଡିଆ ୱେ: ଷ୍ଟ୍ରାଟେଜିସ୍‌ ଫର୍‌ ଆନ୍‌ ଅନସର୍ଟନ ଓ୍ବାଲର୍‌ଡ’ ପୁସ୍ତକରେ ସଂକଳିତ ହୋଇଛି। ତେବେ ଏହି ରଣନୀତିଗୁଡ଼ିକ କ’ଣ? ପ୍ରଥମେ ଜୟଶଙ୍କର ଅନୁମାନ କରିଛନ୍ତି ଯେ ଆମେରିକା ଏବଂ ୟୁରୋପ ନିଜ କାର୍ଯ୍ୟ ଭିତରେ ସୀମିତ ରହିବାବେଳେ ଚାଇନା ଆଗକୁ ବଢ଼ିବ। ଏହା ଭାରତ ପରି ଦେଶଗୁଡ଼ିକୁ ସେମାନଙ୍କ କାର୍ଯ୍ୟରେ ବିଶ୍ୱ ସହ ବିଭିନ୍ନ କ୍ଷେତ୍ରରେ ଗତିଶୀଳ ହେବା ପାଇଁ ଅନୁମତି ଦେବ।
ଭାରତ ଏକକ ‘ମଲ୍ଟି ପୋଲାର ଏସିଆ’ ଚାହୁଁଥିଲା ଯେଉଁଥିରେ ଚାଇନା ସହ ସମାନତା ଦାବି କରିପାରିଥାନ୍ତା। ଗୋଟିଏ ସମୟରେ ଅନେକ ବିଷୟରେ ଚୁକ୍ତି କରାଯାଇପାରିଥାଆନ୍ତା ଏବଂ ଭାରତ ସେଗୁଡ଼ିକୁ ଚତୁରତାର ସହ ପରିଚାଳନା କରିଥାନ୍ତା। ଏହା ଥିଲା ସୁବିଧାଜନକ। ତାହା ବି ଠିକ୍‌ ଥିଲା, କାରଣ ସୁବିଧାବାଦ ହେଉଛି ଭାରତର ସଂସ୍କୃତି। ମହାଭାରତ ବିଷୟରେ ଜୟଶଙ୍କର କହିଛନ୍ତି, ପ୍ରତାରଣା ଏବଂ ଅନୈତିକତା ନୀତି ନିୟମକୁ ଅନୁସରଣ କରେ ନାହିଁ। ଏକଲବ୍ୟଙ୍କ ବୁଢ଼ାଆଙ୍ଗୁଠି ଦ୍ରୋଣ ଦାବି କରିବା, ଇନ୍ଦ୍ର କର୍ଣ୍ଣଙ୍କ ସାଞ୍ଜୁ ମାଗିବା, ଅର୍ଜୁନ ଶିଖଣ୍ଡିଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରିବା କେବଳ ‘ପ୍ରଥା ଓ ପରମ୍ପରା’ ଥିଲା। ନୀତିରେ ଅସଙ୍ଗତି କେବଳ ଠିକ୍‌ ନୁହେଁ ବରଂ ଆବଶ୍ୟକ, କାରଣ ପରିବର୍ତ୍ତନ ପରିସ୍ଥିତିରେ ସଙ୍ଗତିକୁ ଜାବୁଡ଼ି ଧରିବାରେ କୌଣସି ଅର୍ଥ ନ ଥାଏ। ସେ ଯେଉଁ ଭାଷଣରେ ପ୍ରଥମେ ସୁବିଧାବାଦ ଏବଂ ଅସଙ୍ଗତିର ଏହି ତତ୍ତ୍ୱ ରଖିଥିଲେ, ସେଥିରେ ଜୟଶଙ୍କର କହିଛନ୍ତି ଯେ, ଏହି ନୀତିର ନାମ ଦେବା କଷ୍ଟକର। ପ୍ରକୃତରେ ସେ ଗ୍ରହଣ କରିଥିବା ‘ମଲ୍ଟି-ଆଲାଇନମେଣ୍ଟ’ ବା ବହୁପକ୍ଷୀୟ ସମାନ୍ତରାଳ ସମ୍ପର୍କ (ଅତ୍ୟଧିକ ସୁବିଧାବାଦୀ) ଏବଂ ‘ପ୍ରଥମେ ଭାରତ’ (ଆତ୍ମକୈନ୍ଦ୍ରିକ) ବାକ୍ୟାଂଶଗୁଡ଼ିକୁ ତ୍ୟାଗ କରିଛନ୍ତି। ସେ ଗ୍ରହଣ କରିଥିବା ‘ପ୍ରଗତିଶୀଳ ସମୃଦ୍ଧି ଏବଂ ପ୍ରଭାବ’ ତତ୍ତ୍ୱକୁ ଠିକ୍‌ ବୋଲି କହନ୍ତି, କିନ୍ତୁ ଆକର୍ଷଣୀୟ ନୁହେଁ ବୋଲି ସ୍ବୀକାର କରନ୍ତି।
ଏହି ସ୍ତମ୍ଭର ଆରମ୍ଭରେ ତାଲିକାଭୁକ୍ତ ସମସ୍ୟାଗୁଡ଼ିକ ସମନ୍ବୟ ଏବଂ ପ୍ରଭାବର ଅଭାବକୁ ପ୍ରତିଫଳିତ କରେ। ଶସ୍ତା ରୁଷିଆ ତେଲ କିଣିବା ବୈଦେଶିକ ନୀତି ନୁହେଁ। କିନ୍ତୁ ତାହାକୁ ପ୍ରଶଂସା କରାଯାଇଥିଲା। ପରିବର୍ତ୍ତନଶୀଳ ଜି୨୦ର ଅଧ୍ୟକ୍ଷତା ଏକ ସଫଳତା ନ ଥିଲା ବରଂ ଏହା ଭାରତୀୟମାନଙ୍କୁ ବିକ୍ରି କରାଯାଇଥିଲା। ପ୍ରଧାନମନ୍ତ୍ରୀ କେଉଁଥିରେ ଆଗ୍ରହୀ ଥିଲେ ଏବଂ ତାମସା ଓ ସମ୍ମିଳନୀ ପାଇଁ ଯାହା କରାଯାଇଥିଲା ତାହାକୁ ଗୁରୁତ୍ୱପୂର୍ଣ୍ଣ କହି ଶେଷ କରାଗଲା। ଏହି ସିଦ୍ଧାନ୍ତକୁ ଏଡ଼ାଇଯିବା ସହଜ ନୁହେଁ ଯେ ବୈଦେଶିକ ନୀତି ରଣନୀତି ଭାବରେ ଚାଲିଆସୁଥିବା ମୋଦିଙ୍କ ବିକ୍ଷିପ୍ତ ଓ ଦିଶାହୀନ ଆଚରଣ କ’ଣ ଥିଲା ତାହା ଦର୍ଶାଇବାକୁ ଜୟଶଙ୍କର ସମ୍ମିଳନୀକୁ ଅତ୍ୟାଧୁନିକତାର ସ୍ପର୍ଶ ଦେଇଥିଲେ। ଜୟଶଙ୍କର କହିଛନ୍ତି, ତାଙ୍କର ଏହି ନାମହୀନ ନୀତି ଚାରୋଟି ଫଳାଫଳ ଯଥା ଦେଶରେ ବୃହତ୍‌ ସମୃଦ୍ଧି, ସୀମାରେ ଶାନ୍ତି, ଭାରତୀୟଙ୍କ ସୁରକ୍ଷା ଓ ବିଦେଶରେ ପ୍ରଭାବ ବୃଦ୍ଧି ହାସଲ କରିବା ପାଇଁ ଉଦ୍ଦିଷ୍ଟ। ପୁନର୍ବାର କୁହାଯାଇପାରେ ଯେ, ସୀମାରେ କ’ଣ ଘଟୁଛି ଏବଂ କି ପ୍ରକାର ସମୃଦ୍ଧି ହେଉଛି ସେ ସମ୍ପର୍କରେ କିଛି ସୂଚିତ କରାଯାଉନାହିଁ। କଥା ହେଉଛି, ଆମେ ଯାହା ହାସଲ କରିବାକୁ ଚେଷ୍ଟା କରିଛୁ ଏବଂ ଆମ ଚାରିପାଖରେ କ’ଣ ଫଳାଫଳ ଦେଖୁଛୁ ତାହା ଉପରେ ଅନୁଧ୍ୟାନ କରାଯାଇଛି କି ନାହିଁ ତାହା ଜଣାପଡ଼ୁନାହିଁ। ବିଶ୍ୱରେ ଭାରତର ଭୂମିକା କ’ଣ ଏବଂ ଆମେ ନିଜ ପାଇଁ ଠିକ୍‌ କାର୍ଯ୍ୟ କରୁଛୁ କି ନାହିଁ ତାହା ପୁନଃ ମୂଲ୍ୟାୟନ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri