କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ନିରୀକ୍ଷଣ କାର୍ଯ୍ୟକ୍ରମ: ପାଠପଢ଼ା ସହ କ୍ରୀଡ଼ା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ

ଭଞ୍ଜନଗର,୧୩।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ନିରୀକ୍ଷଣ ଓ ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି, ଶିକ୍ଷାର ଗୁଣାତ୍ମକ ମାନ, ଭିତ୍ତିଭୂମି ଏବଂ ବିଭିନ୍ନ ଶୈକ୍ଷିକ ଓ ସହଶୈକ୍ଷିକ କାର୍ଯ୍ୟକଳାପର ବାର୍ଷିକ ସମୀକ୍ଷା କରାଯାଇଥିଲା।

ଏହି ନିରୀକ୍ଷଣ ଟିମ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱରର ସହକାରୀ କମିଶନର ଅନିଲ କୁମାର, ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପଣ୍ଡା, ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାନ୍ତି, ଖୋର୍ଦ୍ଧା ରୋଡ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ନୀରଜ କିଶୋର ପିଙ୍ଗୁଆ, ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ର ଉପାଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଏବଂ କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ରବି ବଛେଟି ସାମିଲ ହୋଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ଉପସ୍ଥିତ ରହି ନିରୀକ୍ଷଣ କାର୍ଯ୍ୟରେ ସହଯୋଗ କରିଥିଲେ।

ନିରୀକ୍ଷଣ ଟିମ ପକ୍ଷରୁ ପ୍ରାର୍ଥନା ସଭାଠାରୁ ଆରମ୍ଭ କରି ଶ୍ରେଣୀଗୃହରେ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତି, ସ୍ବାସ୍ଥ୍ୟ, କ୍ରୀଡ଼ା ଓ ବିଦ୍ୟାଳୟର ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ପାଠପଢ଼ା ସହ ଛାତ୍ରୀଛାତ୍ରଙ୍କ ଶାରୀରିକ ସୁସ୍ଥତା, କ୍ରୀଡ଼ା ଓ ଅନ୍ୟାନ୍ୟ ସହଶୈକ୍ଷିକ କାର୍ଯ୍ୟକଳାପ ପ୍ରତି ଅଧିକ ଧ୍ୟାନ ଦେବାକୁ ଟିମ ସଦସ୍ୟମାନେ ପରାମର୍ଶ ଦେଇଥିଲେ।

ଏଥିସହ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ଖୋଲାଯାଇଥିବାରୁ ଟିମ ସଦସ୍ୟମାନେ ଖୁସିବ୍ୟକ୍ତ କରିଥିଲେ। ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଦ୍ୟାଳୟ ଅଧକ୍ଷ ଓ ଅଭିଭାବକଙ୍କ ମିଳିତ ସହଯୋଗରେ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ଶ୍ରେଣୀ ଖୋଲିବା ଏକ ଉଲ୍ଲେଖନୀୟ ସଫଳତା ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ବୈଠକରେ ଭବିଷ୍ୟତରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଉନ୍ନତ ଶିକ୍ଷାଦାନ ପଦ୍ଧତିର ପ୍ରୟୋଗ ଏବଂ ବିଦ୍ୟାଳୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

 

Dharitri – Odisha’s No.1 Odia Daily

 

Share