ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା: ଗରିବ, ଆଦିବାସୀଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ

ଭୁବନେଶ୍ୱର,୨ା୬(ବ୍ୟୁରୋ): ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ (Patients’ Facilitation Center)ର ଅବଧିକୁ ରାଜ୍ୟ ସରକାର ଆଉ ବର୍ଷେ (୨୦୨୩-୨୪) ପାଇଁ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ମାଲକାନଗିରିରୁ ବିଶାଖାପାଟଣାକୁ ଯାଉଥିବା ଗରିବ, ଆଦିବାସୀମାନଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ବିଶାଖାପାଟଣାରେ ରାଜ୍ୟ ସରକାର ୨୦୧୬ରୁ ଏକ ରୋଗୀ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି । ବିଶାଖାପାଟଣା ମାଲକାନଗିରି ଜିଲାର ଅତି ନିକଟରେ ଥିବାରୁ ଏବଂ ସେଠାରେ ଉଚ୍ଚକୋଟୀର ଚିକିତ୍ସା ସୁବିଧା ମିଳୁଥିବାରୁ ଜିଲାରୁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ସେଠାକୁ ଯାଇଥାନ୍ତି। ରୋଗୀ ସହାୟତା କେନ୍ଦ୍ରରେ ସେମାନଙ୍କୁ ବିନା ମୂଲ୍ୟରେ ରହିବା ଓ ଖାଇବାର ସୁବିଧା ମିଳିପାରୁଛି। ୨୦୧୬ରୁ ୨୦୨୨ମଧ୍ୟରେ ରାଜ୍ୟ ସରକାର ଏହି ସହାୟତା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ୨୦୧୬ରେ ୨୫ ଲକ୍ଷ ଟଙ୍କା ଏବଂ ୨୦୨୦, ୨୦୨୧ ଓ ୨୦୨୨ରେ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି।