ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା

ଭୁବନେଶ୍ୱର,୪ା୨(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ୨୦୨୨ ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର, ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା କରାଯାଇଛି। ଏହି ପୁରସ୍କାର ୧୯୮୭ରୁ ପ୍ରଦାନ କରାଯାଇଆସୁଛି। ଧର୍ମପଦ ପୁରସ୍କାର ପାଇଁ ୯୪ ବର୍ଷୀୟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀଙ୍କୁ ଚୟନ କରାଯାଇଛି। ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ବ୍ରଜବନ୍ଧୁ ମିଶ୍ର, ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି, ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ କେଶବ ଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା ଦିଆଯିବ। ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ମାନଦେୟ ରାଶି ଏବଂ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ମାନଦେୟ ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।

ଉକ୍ତ ପୁରସ୍କାର ଓ ସମ୍ବର୍ଦ୍ଧନା ଆସନ୍ତା ୬.୨.୨୩ ପୂର୍ବାହ୍ନ ୧୧ଟାରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ।