ସାକ୍ଷୀଗୋପାଳ,୧୮ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ରାଧା ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସେବାୟତ ସଂଘ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ସମ୍ପନ୍ନ କରାଯାଇଛି।
ମଙ୍ଗଳବାର ରାତି ୧୦ଟାରୁ ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ଅବକାଶ, ଠାକୁରଙ୍କ ନଟବର ବେଶ ଏବଂ ରାଧାରାଣୀଙ୍କ ଦୁର୍ଲଭ ଓଡ଼ିଆଣୀ ବେଶ ଅନୁଷ୍ଠିତ ହୋଇଛି। ବିଭିନ୍ନ ଭୋଗନୀତି ଓ ସେବାୟତ ପରିବାରଙ୍କ ଦର୍ଶନ ପରେ ରାତି ୨ଟାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସିଂହଦ୍ୱାର ଦେଇ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି।
ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଏସ୍.ପି. ପ୍ରତୀକ ସିଂଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ, ସିସିଟିଭି, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ମେଟାଲ ଡିଟେକ୍ଟର ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ହୋଇଛନ୍ତି। ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ସମେତ ଉପଜିଲାପାଳ, ତହସିଲଦାର, ବିଡ଼ିଓ ଏବଂ ଆଇଆଇସି ପ୍ରମୁଖ ଉପସ୍ଥିତ ରହି ପରିଚାଳନା ତଦାରଖ କରୁଛନ୍ତି। ପୁରୀ ଏମପି ଡା ସମ୍ବିତ ପାତ୍ର, ସହକାରୀ ଦେବୋତ୍ତର କମିଶନର ରୋହିତ ରଞ୍ଜନ ମିଶ୍ର ପ୍ରମୁଖ ଠାକୁରଙ୍କ ଦର୍ଶନ କରି ଆଶିଷ ନେଇଛନ୍ତି।
ଏହି ଅବସରରେ ମନ୍ଦିରକୁ ରଙ୍ଗବେରଙ୍ଗ ଆଲୋକମାଳା ଓ ଫୁଲରେ ସଜାଯାଇଛି। ଜଗମୋହନରେ ଏସି ଓ ନବଗ୍ରହ ଦ୍ୱାରରେ ପିତଳ ଛାଉଣି ଲଗାଯାଇଛି। ଖରାରୁ ରକ୍ଷା ପାଇବା ପାଇଁ ଚନ୍ଦନ ପୋଖରୀ ପର୍ଯ୍ୟନ୍ତ ଛାୟାପ୍ରଦ ବ୍ୟାରିକେଡ୍ ଓ ମୋବାଇଲ ଷ୍ଟାଣ୍ଡ କରାଯାଇଥିବା ବେଳେ ଚନ୍ଦନ ପୋଖରୀରୁ ସିଦ୍ଧ ବକୁଳ ମନ୍ଦିର ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି। ପଞ୍ଚସଖା ପଡ଼ିଆରେ ପଲ୍ଲୀଶ୍ରୀ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସ୍ୱେଚ୍ଛାସେବୀ, ଅଗ୍ନିଶମ, ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି।