ପଦ୍ମ ଧରିଲେ ଅଞ୍ଜଳି

ଭୁବନେଶ୍ବର,୧୮।୧୦(ବ୍ୟୁରୋ) : ଭାଜପାରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । ସୋମବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି। ତାଙ୍କ ସହ ଢେଙ୍କାନାଳର ସହସାଧିକ କର୍ମୀ ଭାଜପାରେ ମିଶିଛନ୍ତି।

ଢେଙ୍କାନାଳ ଜିଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ୩ ଥର ବିଜେଡିର ବିଧାୟିକା ଥିଲେ ଅଞ୍ଜଳି ବେହେରା । ସେ ବିଜେଡି ସରକାରରେ ଦୁଇ ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ । ୨୦୦୦, ୨୦୦୪ ଓ ୨୦୦୯ରେ ବିଜେଡିରୁ ଟିକେଟରୁ ସେ ଜିତିଥିଲେ । ୨୦୧୪ରେ ତାଙ୍କୁ ଦଳୀୟ ଟିକଟ ଦିଆଯାଇ ନ ଥିଲା। ପରେ ଦଳ ବିରୋଧୀ କାଯର୍ର୍‌ୟ ଅଭିଯୋଗରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା ।

ଭାଜପାରେ ଯୋଗ ଦେବା ପରେ ଅଞ୍ଜଳିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ ମୋ ବାପା, ମାଆ ଓ ମୁଁ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ । କିନ୍ତୁ ସେହି ଦଳ ଆମକୁ ଗୋଇଠା ମାରିଛି। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ କାମ କରିବା ପାଇଁ ସେ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।