ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା

ଭୁବନେଶ୍ୱର,୬।୫: ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା କରି କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ବନ୍ୟ ସଂରକ୍ଷକ(ପିସିସିଏଫ୍‌)ଙ୍କୁ ଚିଠି କରାଯାଇଛି। ଚିଠିରେ ବନ୍ୟଯନ୍ତୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପର୍ଯ୍ୟଟକମାନଙ୍କ ପାଇଁ ତୁରନ୍ତ ଅଭୟାରଣ୍ୟଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଣିଷ ଏବଂ ପଶୁଙ୍କ ମଧ୍ୟରେ ସଂକ୍ରମଣ ଚେନ ରୋକିବାକୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କର୍ମଚାରୀଙ୍କଠାରୁ ପଶୁ, ପକ୍ଷୀଙ୍କୁ ସଂକ୍ରମଣ ହେବା ଆଶଙ୍କା ରହିଛି। ଏନେଇ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କୋଭିଡ ନେଗେଟିଭ ରିପୋର୍ଟକୁ ଜରୁରୀ କରାଯାଇଛି। କର୍ମଚାରୀ ଏବଂ ପ୍ରାଣୀ ଚିକିତ୍ସକଙ୍କୁ ନେଇ ଏକ ଟାସ୍କଫୋର୍ସ ଟିମ୍‌ ଗଠନ କରିବାକୁ ଚିଠିରେ ଉଲ୍ଲେଖ ରହିଛି।
ସୂଚନା ଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ଏକ ଅଭୟାରଣ୍ୟରେ କରୋନା ସଂକ୍ରମିତ ହୋଇ କିଛି ସିଂହଙ୍କ ମୃତ୍ୟୁ ଘଟିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।